କଳାହାଣ୍ଡି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି। କୌଣସି ଦୁର୍ବୃତ୍ତ ନିଆଁ ଜାଣିଶୁଣି ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ରାସ୍ତା କଡ଼ରେ ଥିବା ଏହି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବ୍ୟାପିବାରେ ଲାଗିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ ବନବିଭାଗ ନିକଟରେ କୌଣସି ଖବର ନାହିଁ। ଗତ କିଛି ଦିନ ତଳେ ମୂଷାନାଳ ସେକ୍ସନ ପାତର ଡଙ୍ଗର ନିକଟରେ ଥିବା ଅରବାନ ପ୍ଲାଣ୍ଟରେ ନିଆଁ ଲାଗି ୭ ହଜାର ଗଛ ପୋଡି ଯାଇଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଉକ୍ତ ସେକ୍ସନର ପଦ୍ମଥପା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ଯାଇଥିଲା। ସେହିପରି ବିଶ୍ୱନାଥପୁର ସେକ୍ସନ ବକଟପୁର ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ଯାଇଥିଲା। ଏହା ପରେ ପୋଖରୀ ବନ୍ଦ ନିକଟସ୍ଥ ବରାଘାଟି, ଲାଞ୍ଜିଗଡ଼ ସେକ୍ସନ ଝିମିରି ଜଙ୍ଗଲ, ମୂଷାନାଳ ସେକ୍ସନ ବୁରୀ ଜଙ୍ଗଲ ବହୁ ମୂଲ୍ୟବାନ ଗଛ ପୋଡ଼ି ଯାଇଛି। ଏପରିକି ବନାଗ୍ନି ରୋକିବାକୁ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ବେ ଜଙ୍ଗଲ ନିଆଁକୁ ରୋକିବାକୁ ସଫଳ ହୋଇପାରୁନାହିଁ। ବନବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ତଥା ଅବହେଳା ଯୋଗୁ ନିଆଁ ଲିଭାଇବା ପାଇଁ ରଖାଯାଇଥିବା ଫାୟାର ଉଆଚରମାନେ ନିଆଁ ଲାଗିବା ଖବର ପାଇ ମଧ୍ୟ ନିଆଁ ଲିଭାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାବେଳେ ଏହାଦ୍ବାରା କେବଳ ଜଙ୍ଗଲ ପୋଡ଼ି ପାଉଁଶ ହେଉନି ବରଂ ଅଞ୍ଚଳର ଜୈବ ବିବିଧତା ଉପରେ ମଧ୍ୟ ଦୁଷ୍ପ୍ରଭାବ ପକାଉଛି। ଜିଲା ବିଭାଗୀୟ ଉଚ୍ଚସ୍ତରୀୟ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related Articles

Back to top button