ବିପ୍ଳବୀ ଧରଣୀଧରଙ୍କ ନାମରେ ନାମିତ ହେଲା କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ

କେନ୍ଦୁଝର: କେନ୍ଦୁଝର ସହର ଉପକଣ୍ଠ କବିତ୍ରା ଗ୍ରାମରେ ନବନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଜାତୀୟ ଆର୍ୟୁବିଜ୍ଞାନ ଆୟୋଗ ୨୦୨୨-୨୩ ଶିକ୍ଷାବର୍ଷରେ ୧୦୦ସିଟ୍‌‌ରେ ଡାକ୍ତରୀ ସ୍ନାତ୍ତକ ଶିକ୍ଷା ନିମନ୍ତେ ଅନୁମୋଦନ ପ୍ରଦାନ ପରେ ନାମଲେଖା ଆରମ୍ଭ ହୋଇ ଚଳିତବର୍ଷରୁ ଶିକ୍ଷାରମ୍ଭ ହୋଇଛି। ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ୧୦୦ ସିଟ୍‌‌ ଏମ୍‌‌ବିବିଏସ୍‌‌ ଶିକ୍ଷାଦାନ ନିମନ୍ତେ ଜାତୀୟ ଆର୍ୟୁବିଜ୍ଞାନ ଆୟୋଗ ପକ୍ଷରୁ ଅନୁମୋଦନ ଲାଭ କରିଥିଲା। ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ନଂ ୭୬୯ ତା ୧୧/୦୧/୨୦୨୩ରିଖ ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟକୁ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେନ୍ଦୁଝର ନାମରେ ନାମିତ କରାଯାଇଛି। ଏହା ଜଣାପଡ଼ିବା ପରେ ବୁଦ୍ଧଜିବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ବିଶେଷକରି ଜିଲା ଭୂୟାଁ ସାଂସ୍କୃିତକ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସଙ୍ଗଠନର ସଭାପତି ହରିଶଙ୍କର ନାଏକ, ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ଉପସଭାପତି ଭାସ୍କର ଅମାନ୍ତ, ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ, ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ, ଉପଦେଷ୍ଟା କାଙ୍ଗାଳି ଚରଣ ନାଏକ, ଗିରିଧାରୀ ନାଏକ ଓ ବୀରବର ନାଏକ, ସଦସ୍ୟ ପ୍ରଶାନ୍ତ କୁମାର ନାଏକ, ସଞ୍ଜୟ ଶେଖର ଗିରି, ତ୍ରିଲୋଚନ ନାଏକ, ପୂର୍ବତନ ଜିଲାପରିଷଦ ସଭାପତି ମମିତା ନାଏକ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦୁଝରରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୫୯ଦିନର ଆନ୍ଦୋଳନ ପରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇ କେନ୍ଦୁଝରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ କରି ୨ ନଭେମ୍ବର ୨୦୧୬ରେ କବିତ୍ରା ଠାରେ ଶିଳନ୍ୟାସ କରିଥିଲେ। ଏହି ମେଡିକାଲ କଲେଜ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌‌) ପାଣ୍ଠିରୁ ୪ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି। ମେଡିକାଲ କଲେଜ କାର୍ଯ୍ୟକ୍ଷମ ନିମନ୍ତେ ଜଣେ ଡିନ ଓ ଅଧିକ୍ଷକଙ୍କ ସମେତ ୫ଜଣ ପ୍ରଫେସର, ୧୩ଜଣ ସହଯୋଗୀ ପ୍ରଫେସର, ୩୬ଜଣ ସହକାରୀ ପ୍ରଫେସର, ଟ୍ୟୁଟର ଓ ସିନିୟର ରେସିଡେନ୍ସକୁ ମିଶାଇ ୩୧ଜଣ ଡାକ୍ତର ନିଯୁକ୍ତି ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ସେବିକା ଓ ୧୬୦ଜଣ ପାରାମେଡିକାଲ ଓ କର୍ମଚାରୀ ନିଯୁକ୍ତି ହୋଇସାରିଛି।

Related Articles

Back to top button