ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡ଼ି ପ୍ରସାଦ ଆସିଲା, ଆସନ୍ତାକାଲି ଯାଏଁ ବନକଲାଗି

ପୁରୀ: ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ହୋଇଥିଲା। ଏହି ସମୟରେ ଘଣ୍ଟ, ଛତା, କାହାଳୀ ବାଜି ଉଠିଥିଲା। ଏହି ଧ୍ୱନୀରେ ଶ୍ରୀମନ୍ଦିର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ପରିବେଶ ଭକ୍ତିମୟ ହୋଇଥିଲା। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦକୁ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ  ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିଥିଲେ। ଯାହା ଭିତରେ ରହିଥିଲା ମହାପ୍ରଭୁଙ୍କ ନିକଟରୁ ବାହାରିଥିବା ଫୁଲ ଓ ତୁଳସୀ ପ୍ରସାଦ। ଏହି ନୀତିବେଳେ ଦଇତାପତିମାନଙ୍କ ସାମ୍ନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇଯାଆନ୍ତି।

ଏହି ନୀତି ସମାପନ ସହ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କ ବନକଲାଗି ନୀତି ଆରମ୍ଭ ହୋଇଛି। ଦତ୍ତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, କର୍ପୂର, କଇଥ ଅଠା, କଳାତେଲ ପ୍ରଭୃତି ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଆରମ୍ଭ କରିଛନ୍ତି। ଏହି ବନକଲାଗି ନୀତି ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

Related Articles

Back to top button