ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି: ନଭେମ୍ବର ୧ରୁ ଖୋଲିବ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଏବେଠୁ ସଜେଇ ହେଲାଣି। କେସିପୁର ପଞ୍ଚାୟତ ବାଲିଆପାଳ ଫାଟକ ନିକଟରେ ବନ ବିଭାଗ ଅଧିକାରୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିବା ପରେ କିପରି ରୋମାଞ୍ଚକର ଅନୁଭୂତି ନେଇ ଫେରିବେ ସେନେଇ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଛି ବନବିଭାଗ।
ବାଲେଶ୍ୱର ସହରଠାରୁ ପ୍ରାୟ ୪୦ କି.ମି. ଦୂରରେ ରହିଛି ଏହି ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଜୁନ୍‌ ୧୫ରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ବେଳେ ଆସନ୍ତା ନଭେମ୍ବର ୧ରୁ ଜୁନ ୧୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ଖୋଲାରହିବ। ବାଲେଶ୍ୱର ଡିଏଫ୍‌ଓଙ୍କ ତତ୍ତ୍ୱାବଧାନରେ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଆଦିି ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଦେଖାଯାଆନ୍ତି। କୁଲଡିହାକୁ ଲାଗିରହିଥିବା ଡ୍ୟାମ୍‌ ସାତଘାଟି, ରିଷିଆ, ପୁରୁଣାପାଣି, ଜଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀ ପକ୍ଷୀ ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ ‘ରିଷିଆ ପ୍ରକୃତି ନିବାସ’ ଖୋଲାଯାଇଛି। ରାତ୍ରିରହଣି ନିମନ୍ତେ ୯ଟି ତମ୍ବୁଘର ନିର୍ମାଣ ହୋଇଛି। ଏହାସହ ନେଚର୍ସ କ୍ୟାମ୍ପ କରାଯାଇ ପିଇବା ପାଣି, ଶୌଚାଳୟ ସହ ଆଲୋକ ବ୍ୟବସ୍ଥା ଓ ରୁଚିକର ଖାଦ୍ୟ ଯୋଗାଇବା ଲାଗି ବ୍ୟବସ୍ଥା କରାଯାଇଛି। ସକାଳେ ଚା’, ଜଳଖିଆ, ଦ୍ୱିପ୍ରହରେ ଭାତ ଡାଲି, ପରିବା ତରକାରି, ମାଛ, ଅଣ୍ଡା ଏବଂ ରାତିରେ ରୁଟି, ଡାଲି, ଅଣ୍ଡା ଆଦି ଖାଦ୍ୟ ପରଷା ଯିବାର ବ୍ୟବସ୍ଥା ରହିଛି। ତେବେ ଏଠାରେ ମାଦକଦ୍ରବ୍ୟ, ମାଂସ ଉପରେ କଟକଣା ରହିଛି। ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଏହା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଛି। ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ଲାଗି ରିଷିଆ ଡ୍ୟାମରେ ବୋଟିଂ ବ୍ୟବସ୍ଥା ରହିଛି। ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍‌, ୫ଟି ୱାଚ୍‌ ଟାୱାର ଅତି ନିକଟରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସୁବିଧା ରହିଛି। ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟା ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ଦିଆଯାଉଛି। ନେଚର୍ସ କ୍ୟାମ୍ପରେ ରହଣି ପାଇଁ ଅନ୍‌ଲାଇନରେ ବୁକିଂ କରିବା ସକାଶେ ୱେବ୍‌ସାଇଟ୍‌ ଖୋଲାଯାଇଛି। ବିଗତ ୨ବର୍ଷ କୋଭିଡ୍‌ କଟକଣା ପାଇଁ କମ୍‌ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ସଂଖ୍ୟା ଅଧିକ ହେବ ବୋଲି ଟୁରିଷ୍ଟ ଗାଇଡ୍‌ ତଥା ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ କହିଛନ୍ତି।

Related Articles

Back to top button