ମହିଳାଙ୍କୁ ବ୍ୟବହାର କରି ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା
ଭୁବନେଶ୍ୱର: ଜଣେ ମହିଳାଙ୍କୁ ବ୍ୟବହାର କରି ଜନୈକ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକ୍ ମେଲ କରୁଥିଲେ ଅର୍ଚ୍ଚନା ନାଗ। ଫିଲ୍ମ ପ୍ରଯୋଜକଙ୍କ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ ଓ ଭିଡିଓକୁ ହାତେଇବା ପରେ ଏହାକୁ ବ୍ୟବାହାର କରି ଟଙ୍କା ଆଦାୟ କରୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂହ।
ସେ ଗଣମାଧ୍ୟମକୁ କହିଛନ୍ତି, ୨ ଅକ୍ଟୋବରରେ ଜଣେ ମହିଳା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ। ଯେଉଁଥିରେ ଜଣାଇଥିଲେ ଯେ, ତାଙ୍କ ସହ ଅର୍ଚ୍ଚନା ବନ୍ଧୁତା ଜରିଆରେ ଘନିଷ୍ଠତା ବଢ଼ାଇବା ପରେ କିଛି ନଗ୍ନ ଫଟୋ ହାତେଇ ନେଇଥିଲେ। ଏହା ଜରିଆରେ ତାଙ୍କୁ ସେ ବ୍ଲାକ୍ ମେଲ କରିଥିଲେ। ବଡ଼ବଡ଼ିଆ ଫିଲ୍ମ ପ୍ରଯୋଜକଙ୍କୁ ଯୋଜନାବଦ୍ଧ ଭାବେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଆଣି ଦେବାକୁ କହୁଥିଲେ। ଏହା ପାଇବା ପରେ ଅର୍ଚ୍ଚନା ଏହା ଜରିଆରେ ବ୍ଲାକ୍ ମେଲ କରି ଟଙ୍କା ମାଗୁଥିଲେ। ଏଭଳି କରିବାକୁ ମନା କଲେ ବିଭିନ୍ନ ପ୍ରକାର ଡର, ଭୟ ଦେଖାଉଥିଲେ। ପୂରା ଯୋଜନାବଦ୍ଧ ଭାବେ ବ୍ଲାକମେଲ କରାଯାଉଥିଲା।
ମହିଳାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ୪୯୬/୨୨ରେ ମାମଲା କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୁଲିସ ଯାଇ ମୋବାଇଲ, ଟାବ୍ଲେଟ, ଲାପଟପ, ପେନ୍ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି। ଏହାକୁ ଯାଞ୍ଚ କରାଯାଉଛି। ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ। ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି। ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି। ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ କରାଯାଇଛି। ତାଙ୍କ ବିରୋଧରେ ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଖଣ୍ଡଗିରି ଥାନା ଆଇଆଇସି ନିଜେ ଘଟଣାର ତଦନ୍ତ କରୁଛନ୍ତି।
ଏହି ଘଟଣାକୁ ନେଇ ଅର୍ଚ୍ଚନାଙ୍କ ନାମରେ ୨ଟି ମାମଲା କରାଯାଇଛି। ଗୋଟିଏ ଖଣ୍ଡଗିରି ଓ ଅନ୍ୟଟି ନୟାପଲ୍ଲୀ ଥାନାରେ ରହିଛି। ତାଙ୍କ ସହ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି ଡିସିପି କହିଛନ୍ତି। ତେବେ ଅଭିଯୋଗକାରୀ ମହିଳା କିମ୍ବା ପରଦା ପଛରେ ଥିବା ଫିଲ୍ମ ପ୍ରଯୋଜକଙ୍କ ନାଁ ଗଣମାଧ୍ୟମ ଆଗରେ ଡିସିପି ସ୍ପଷ୍ଟ କରିନାହାନ୍ତି।