ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ବୃଦ୍ଧି ହେବ ତାପମାତ୍ରା

ରାଜ୍ୟରେ ୧ ରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୨୪ ଘଣ୍ଟା ପରେ ବଢିବ ରାତିର ତାପମାତ୍ରା । ପଶ୍ଚିମା ଝଡର ସକ୍ରିୟତା ପ୍ରଭାବରେ ଓଡ଼ିଶାକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଫଳରେ ରାଜ୍ୟରେ ତାପମାତ୍ରା ଉପରମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଦିନ ସହ ରାତିରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବ । ତାତି ବଢିବା ସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ୨୪ ତାରିଖରେ ଘନ କୁହୁଡି ନେଇ କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କରାଯାଇଛି ।ଏହାସହ ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, କନ୍ଧମାଳ ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଅନୁଭୁତ ହୋଇଛି । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସିମିଳିଗୁଡାରେ ୫.୫ଡିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ,କୋରାପୁଟ ୯.୫, ରାଉରକେଲା ୯.୫, ଝାରସୁଗୁଡା ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related Articles

Back to top button