ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା
ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ କୋହଲା ପାଗ ସାଙ୍ଗକୁ ସାରା ରାଜ୍ୟରେ ଲାଗିରହିଛି ଝିପିଝିପି ବର୍ଷା । ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷିପ୍ତ ବର୍ଷା ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆଜି ପ୍ରାୟତଃ କମିଯିବ। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର,ଗଞ୍ଜାମ,ଗଜପତି, ରାୟଗଡ଼ା, ଯାଜପୁର, କଳାହାଣ୍ଡି,କନ୍ଧମାଳ , ଢେଙ୍କାନାଳ,ଖୋର୍ଦ୍ଧା,କଟକ,ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରହିବ। ମାଲକାନଗିରି,ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର,ବରଗଡ଼, ସୋନପୁରରେ ଆଜି କମିପାରେ ବର୍ଷା।
ସେପଟେ ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବାକୁ ଥିବା ସମୟରେ ଯେପରି କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।