ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ସମସ୍ୟା ପାଇଁ ପରିବହନ ଆୟୋଗଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି । 2019 ଏପ୍ରିଲ 1 ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିଗୁଡିକରେ ଏଚଏସଆରପି ଲଗାଇବା ପାଇଁ ଧାର୍ଯ୍ୟ ସମୟ ସୀମା ଉପରେ ପୁନଃ ବିଚାର କରିବାକୁ କୁହାଯାଇଛି

ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଫୋରମରେ ଲୋକମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି । ଲୋକଙ୍କ ସମସ୍ୟା ନେଇ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି । ଏହା ପରେ ତଦନୁଯାୟୀ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଏହି ପ୍ରସଙ୍ଗରେ ପରିବହନ କମିଶନର ଅରୁଣ ବୋଥ୍ରାଙ୍କୁ ଏକ ଚିଠି ଲେଖିଛନ୍ତି । ପରିବହନ କମିଶନ ଓଡିଶା ପଞ୍ଜୀକରଣର ଶେଷ ନମ୍ବର 1, 2, 3 ଏବଂ 4 ସହିତ ଶେଷ ହେଉଥିବା ଗାଡି ଗୁଡିକ ପାଇଁ 31 ଅକ୍ଟୋବର, 2022 ର ସମୟସୀମା ଧାର୍ଯ୍ୟ ହୋଇଛି । ପଞ୍ଜିକରଣ ନମ୍ବର 5 ଏବଂ 6 ସହିତ ଶେଷ ହୋଇଥିବା ଓଡିଶା ପଞ୍ଜୀକରଣ ଯାନ ଗୁଡ଼ିକର ଶେଷ ତାରିଖ 30 ନଭେମ୍ବର ଏବଂ 7 ଏବଂ 8 ଶେଷ ନମ୍ବର ପାଇଁ 31 ଡିସେମ୍ବର ଧାର୍ଯ୍ୟ ହୋଇଛି ।

ସେହିଭଳି, ଓଡିଶା ପଞ୍ଜିକରଣର ଶେଷ ନମ୍ବର 9 ଏବଂ 0 ଥିବା ଗାଡି ମାଲିକମାନଙ୍କୁ 31 ଜାନୁୟାରୀ, 2023 ସୁଦ୍ଧା ଏଚଏସଆରପି ଲଗାଇବାକୁ କୁହାଯାଇଛି । ଚିଠିରେ ଦର୍ଶାଯାଇଛି ଯେ, ଲୋକମାନେ ଅନଲାଇନ ପଞ୍ଜିକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରକାରଙ୍କ ନଜରକୁ ଆସିଛି । ର୍ନିଦ୍ଧାରିତ ସମୟ ମଧ୍ୟରେ ଏଭଳି ନମ୍ବର ପ୍ଲେଟ ଲଗାଇବାକୁ ଅସମର୍ଥ ଅଟନ୍ତି । ରିପୋର୍ଟ ଅନୁଯାୟୀ କେତେକ କ୍ଷେତ୍ରରେ, ବୁକିଂ ସ୍ଲଟ ର୍ନିଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେଉନାହିଁ । ଅନଲାଇନରେ ବୁକିଂ ସିଷ୍ଟମ ଏବଂ ନମ୍ବର ଲଗାଇବା କେନ୍ଦ୍ର ସହଜରେ ଉପଲବ୍ଧ ନଥିବାରୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ କ୍ଷେତ୍ରରେ ଯାନବାହାନ ଉତ୍ପାଦକ ସେମାନଙ୍କର ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି । ସେହି ଗାଡି ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଏଚଏସଆରପି ବୁକିଂ ପାଇଁ ପୋର୍ଟାଲରେ କୌଣସି ସୁବିଧା ଉପଲବ୍ଧ ନାହିଁ ।

Related Articles

Back to top button