ଆଇନ ମନ୍ତ୍ରଣାଳୟ ଓ ଆଇନ ବିଭାଗ ପକ୍ଷରୁ ନୂତନ ଏସଟି ବର୍ଗଙ୍କ ତାଲିକା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନ ମନ୍ତ୍ରଣାଳୟ ଓ ଆଇନ ବିଭାଗ ପକ୍ଷରୁ ନୂତନ ଏସଟି ବର୍ଗଙ୍କ ତାଲିକା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁ ତହସିଲଦାରଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ପତ୍ର ଲେଖି ଅବଗତ କରାଯାଇଛି ।

ରାଜସ୍ୱ ବିଭାଗର ପତ୍ରରେ ଦର୍ଶାଯାଇଛି, ପୂର୍ବରୁ ୬୪ଟି ବର୍ଗରେ ଅନୁସୂଚିତ ଜନଜାତି ରହିଥିଲେ ହେଁ ସେଥିରେ ଅନେକ ଜାତି ସାମିଲ ନଥିବାରୁ ସେମାନଙ୍କ ପରିବାର ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ପାଇବା ନେଇ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ସମ୍ବିଧାନର ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶ (ସଂଶୋଧିତ) ଆଇନ-୨୦୨୪ର ସଂଖ୍ୟା-୬କୁ ଠିକଣା ପାଳନ କରାଯିବ ବୋଲି ସେ କହିଛନ୍ତି ।

ଅନୁସୂଚିତ ଜନଜାତି ତାଲିକାରେ ପାଉରୀ ଭୂୟାଁ, ପାଉଡ଼ି ଭୂୟାଁ, ତାମୋଡ଼ିଆ ଭୂମିଜ, ତାମୁଡ଼ିଆ ଭୂମିଜ, ତାମୁଣ୍ଡିଆ ଭୂମିଜ, ତାମୂଲିଆ ଭୂମିଜ, ତାମଡିଆ ଭୂମିଜ, ତାମଡ଼ିଆ, ତାମରିଆ, ତାମୁଡ଼ିଆ, ଚୁକଟିଆ ଭୂଞ୍ଜିଆ, ବଣ୍ଡା ପରଜା, ବୋଣ୍ଡା, ପରଜା, ବୋଣ୍ଡୋ, ବୋଣ୍ଡା ଓ ବଣ୍ଡା, ଦୁରୁଆ, ଧୁରୁଆ, ଧୁରୁଭ, କଉର, କୁଆଁର, କାଓଁର, କୁଆଁର, କୋନୱାର, କୁଆନାର, କାଁର, କୋଁର କୁଁଆୱାର, କନ୍ଧ, କୁମ୍ଭାର, କୁଇ (କନ୍ଧ), ମାଙ୍କିଡ଼ିଆ, ଉରାମ, ଓରାଅଁ, ଉରାଅଁ, ଧାଙ୍ଗରା ଓରାଁ ମୁଡ଼ି, ବାରେଙ୍ଗ ଝୋଡିଆ, ପରୋଜା, ପେଙ୍ଗା ପରୋଜା, ପେଙ୍ଗୁ ପରୋଜା, ପୋର୍ଜା, ସେଲିଆ ପରୋଜା, ରଜୁଆଳ, ରଜୁଆଡ଼, ମୁକା ଦୋରା, ସଅର, ନୁକା ଦୋରା, କୋଣ୍ଡା ରେଡ୍ଡି, କୋଣ୍ଡା ରେଡ୍ଡୀ ଆଦି ନୂତନ ଜନଜାତିଙ୍କୁ ସାମିଲ କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ରାଜ୍ୟରେ ବସବାସ କରୁଥିବା ଲକ୍ଷାଧିକ ‘ସଅର’ ସମେତ ଅନ୍ୟ ଜାତିକୁ ଆଦିବାସୀର ମାନ୍ୟତା ମିଳୁନଥିଲା । ତେଣୁ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ମିଳୁଥିବା ସରକାରୀ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ହେଉଥିଲେ । ବର୍ଷ ବର୍ଷ ଧରି ଏହି ବର୍ଗର ଲୋକମାନେ ବିଭିନ୍ନ ଅସୁବିଧା ମଧ୍ୟରେ କାଳାତିପାତ କରି ଆସୁଥିଲେ । ଏଥିସହିତ ‘ସଅର’ ଜାତି ସାଧାରଣ ବର୍ଗରେ ରହିଥିବାରୁ ସେମାନେ ସରକାରଙ୍କ ବିନା ଅନୁମତିରେ ଜମିକୁ ଶାଗମାଛ ଦରରେ ବିକ୍ରି କରି ଜମିଶୂନ୍ୟ ହୋଇଛନ୍ତି । ସେମାନେ ଆଦିବାସୀ ହୋଇଥିଲେ ହେଁ ସରକାରୀ ନଥିରେ ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ ରହିଥିଲେ । ସାମ୍ବିଧାନିକ ଅଧିକାର ପାଇବା ନିମନ୍ତେ ସେମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିଆସିଥିଲେ । ‘ସଅର’ ସଂପ୍ରଦାୟର ଲୋକଙ୍କର ପଟ୍ଟା ରେକର୍ଡରେ କାହାର ‘ସବର’ ତ ଆଉ କାହାର ‘ସହର’ ଭାବେ ଲେଖାଯାଇଥିଲା । ତେବେ ବୋଲଗଡ଼ ତହସିଲକୁ ସରକାରଙ୍କ ଚିଠି ପଠାଯିବା ପରେ ପିଚୁକୁଳି ‘ମୋ ସେବା କେନ୍ଦ୍ର’ରେ ବ୍ଲକର ପିଚୁକୁଳି ରାଜସ୍ୱ ସର୍କଲ ମାଣିକପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ପୁଅର ଜାତି ପ୍ରମାଣପତ୍ର ପ୍ରଥମ କରି ଓଡ଼ିଶା ସରକାରଙ୍କ ସର୍ଭିସ ପ୍ଲସ ପୋର୍ଟାଲରେ ଆବେଦନ କରାଯାଇଛି । ତହସିଲଦାରଙ୍କ ଯାଞ୍ଚ ପରେ ତାଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ତହସିଲ ଅଫିସ ପକ୍ଷରୁ କୁହାଯାଇଛି ।

Related Articles

Back to top button