
ସ୍ନାନବେଦୀ ଉପରୁ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀ ବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଶ୍ରୀକ୍ଷେତ୍ର ପୁରୀରେ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଆଜି ଶ୍ରୀଜୀଉଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରତ୍ନସିଂହାସନ ଛାଡ଼ି ଶ୍ରୀଜୀଉ ଏବେ ସ୍ନାନବେଦୀରେ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି । ଆଜି ସକାଳୁ ପରମ୍ପରା ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା ।ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସମ୍ପନ୍ନ ହୋଇଥିଲା ତିନି ଠାକୁରଙ୍କ ସ୍ନାନ । ଏହାପରେ ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରାପହଁରା କରିଥିଲେ । ପରେ ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ହାତୀ ବେଶରେ ସଜ୍ଜିତ କରାଯାଇଛି । ତେବେ ୧୦୮ ଗରା ଜଳରେ ସ୍ନାନ ପରେ ଆଜିଠୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିବାକୁ ଥିବାରୁ ଆସନ୍ତାକାଲିଠାରୁ ପୂଜା ପାଇବେ ପଟିଦିଅଁ ।