ଆଜି ବି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉପାସରେ ରହିଛନ୍ତି

ଆଜି ବି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଉପାସରେ ରହିଛନ୍ତି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବାରୁ ପ୍ରଭୁ ଲିଙ୍ଗରାଜ ଖାଡ଼ା ଉପାସରେ ରହିଛନ୍ତି ।

ସୂଚନା ଅନୁଯାୟୀ ବୁଧବାର ସକାଳୁ ମଙ୍ଗଳ ଆଳତୀ ପରଠାରୁ ଆଉ ଠାକୁରଙ୍କର ନୀତିକାନ୍ତି ହୋଇନଥିଲା କି ଭୋଗ ମଧ୍ୟ ହୋଇନଥିଲା । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ପୂର୍ବରୁ ଏହାକୁ ଅନ୍ୟ ନିଯୋଗବିରୋଧ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା । ହେଲେ ହାଇକୋର୍ଟରୁ କିଭଳି ପୁଣି କାମ ଚାଲୁ ପାଇଁ ବଡ଼ୁ ନିଯୋଗ ଅଦେଶ ପାଇଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ତେଣେ ଘଟଣାକୁ ନେଇ ପ୍ରଶାସନ ବି ଚୁପ ବସିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ଭକ୍ତଙ୍କ କହିବା କଥା ହେଉଛି ଯଦି ଭଗବାନ ଉପାସ ରହିବେ ତେବେ କିପରି ସଂସାର ଚାଲିବ ବାରମ୍ବାର ଏପରି ହେଉଥିଲେ ବି କାହିଁକି ପ୍ରଶାସନ ଚୁପ ବୋଲି ଭକ୍ତମାନେ କହିଛନ୍ତି ।

Related Articles

Back to top button