
ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁଲାଇ ୩ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁଲାଇ ୩ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମଧ୍ୟାହ୍ନ ବୁଲେଟିନ ଅନୁଯାୟୀ, ଆଗାମୀ ୨ ଦିନ ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ।ଯାହା ଫଳରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଏବଂ କୋରାପୁଟ ପାଇଁ ଜୁଲାଇ ୩ ପର୍ଯ୍ୟନ୍ତ ଏକ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଝଡ଼ବର୍ଷା ଓ ବଜ୍ରପାତ ସହ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ।
ତେବେ ଜୁନ୍ ୩୦ରୁ ଜୁଲାଇ ୨ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ୩୫-୪୫କିଲୋମିଟରରୁ ୫୫ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଅଧିକ। ସେଥିପାଇଁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳରେ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ସେହିପରି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା ଯେ ମଙ୍ଗଳବାର ପର୍ଯ୍ୟନ୍ତ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ସପ୍ତାହ ସାରା ପ୍ରବଳ ବର୍ଷା ଜାରି ରହିପାରେ।