
ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲାରେ ହୋଇପାରେ ଅତି ପ୍ରବଳ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବ, ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲାରେ ହୋଇପାରେ ଅତି ପ୍ରବଳ ବର୍ଷା । ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲାମାନଙ୍କରେ ମଧ୍ୟମ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। ଭୁବନେଶ୍ୱରସ୍ଥିତ ଆଇଏମଡିର ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଯୋଗୁଁ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ଏବଂ ଆଗାମୀ କିଛି ଦିନ ମଧ୍ୟରେ ମୌସୁମୀ ରାଜ୍ୟର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବ। ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ଓଡ଼ିଶାରେ ପହଞ୍ଚିଛି, ଯାହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧୪ ଦିନ ଆଗରୁ ହୋଇଛି। ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ ଆଖପାଖରେ ପହଞ୍ଚିଥାଏ। ଏହି ଶୀଘ୍ର ଆଗମନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ହୋଇଛି। ପ୍ରଥମ ଦିନରେ ମୌସୁମୀ ମାଲକାନଗିରି ଓ କୋରାପୁଟ ଜିଲାକୁ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦନ କରିଛି ଏବଂ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରଭାବିତ କରିଛି।