ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା, କମର୍ସିଆଲ ଗ୍ୟାସ ସିଲିଣ୍ଡର ୩୫୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଏଣିକି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଲିପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି। ଏହି ନୂତନ ଦର ଆଜିଠାରୁ ଲାଗୁହୋଇଥିବାବେଳେ ଏଣିକି ଗ୍ରାହକ ଅଧିକ ୫୦ ଟଙ୍କା ଦେବେ। ଏହି ନୂତନ ଦରବୃଦ୍ଧି ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୩ ଟଙ୍କାରେ ପହଂଚିଛି। ଯାହାର ଦାମ ପୂର୍ବରୁ ୧୦୫୩ ଟଙ୍କା ଥିଲା। ସେହିପରି ଦେଶର ଅନ୍ୟ ମହାନଗର ଯେପରିକି ମୁମ୍ବାଇରେ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଏଣିକି ଗ୍ରାହକଙ୍କୁ ୧୧୦୨ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୧୮ ଟଙ୍କା ଦେବାକୁ ପଡିବ। ତେବେ କେବଳ ୧୪ କିଲୋଗ୍ରାମ ଘରୋଇ ଏଲପିଜି ନୁହେଁ ବରଂ ୧୯ କିଲୋଗ୍ରାମର କମର୍ସିୟାଲ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଛି। କମର୍ସିୟାଲ ସିଲିଣ୍ଡର ଦାମ ୩୫୦ ଟଙ୍କା ବଢିଛି। କମର୍ସିୟାଲ ସିଲିଣ୍ଡର ମୂଲ୍ୟ ୩୫୦ ଟଙ୍କା ବଢିବା ପରେ ଏହା ହୋଟେଲ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଦେଇଛି। କମର୍ସିୟାଲ ସିଲିଣ୍ଡରର ନୂଆ ଦର ବାବଦରେ କହିବାକୁ ଗଲେ ଦିଲ୍ଲୀରେ ଏହାର ମୂଲ୍ୟ ଏବେ ୨୧୧୯ ଟଙ୍କାରେ ପହଂଚିଥିବାବେଳେ, ମୁମ୍ବାଇରେ ୨୦୭୧ ଟଙ୍କା, କୋଲକାତାରେ ୨୨୧୯ ଟଙ୍କା, ଚେନ୍ନାଇରେ ୨୨୬୭ ଟଙ୍କାରେ ପହଂଚିଛି।

ଉଲ୍ଲେଖ ଥାଉ କି ଶେଷଥର ପାଇଁ ଗତ ଜୁଲାଇ ମାସରେ ଘରୋଇ ଗ୍ୟାସ ମୂଲ୍ୟ ବଢିଥିଲା। ଏହାପରେ ଯଦିଓ କମର୍ସିୟାଲ ସିଲିଣ୍ଡର ମୂଲ୍ୟ ବଢିଥିଲା କିନ୍ତୁ ଘରୋଇ ଗ୍ୟାସ ମୂଲ୍ୟ ବଢିନଥିଲା।

Related Articles

Back to top button