ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ଆଖଣ୍ଡଳମଣି ମନ୍ଦିର ବନ୍ଦ, ଆଜି ଉଠିବ ମହାଦୀପ

ଆରଡ଼ି: ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଦୀପାବଳିରେ ମହାଦୀପ ଉଠିବା ପରମ୍ପରା ରହିଛି। ଚଳିତବର୍ଷ ସୋମବାର ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଆସନ୍ତା ୨୫ ତାରିଖ ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସୋମବାର ଭୋର ୪ଟା ୩୦ରେ ମନ୍ଦିର ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ସମସ୍ତ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବ। ଅପରାହ୍ନ ୪ଟା ୩୦ରେ ବାବା ଆଖଣ୍ଡଳମଣିଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯିବ ଏବଂ ସାରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଦୀପଦାନ ପରେ ମହାଦୀପ ଉଠିବା ପ୍ରକ୍ରିୟା ଆରମ୍ଭ ହେବ। ରାତି ୮ଟାରେ ମଣିବାବାଙ୍କ ଗୁପ୍ତ ଷୋଡ଼ଶ ଉପଚାର ପୂଜା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯିବ। ରାତି ୯ଟା ପୂର୍ବରୁ ମନ୍ଦିରକୁ ମହାଦୀପ ଉଠାଯାଇ ଚୂଡ଼ାରେ ଅଧିଷ୍ଠାନ କରାଯିବ।
ସୂର୍ଯ୍ୟୋପରାଗ ଯୋଗୁ ମନ୍ଦିର ବନ୍ଦ ରହିବ। ଏଥିନିମନ୍ତେ ଚୂଡ଼ାନ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି। ସୋମବାର ରାତି ୩ଟାରୁ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ମହାସ୍ନାନ ଓ ଜଳାଭିଷେକ ନୀତି ସମାପନ କରାଯିବ। ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଓ ଖେଚୁଡ଼ି ଅନ୍ନ ନୀତି ସମାପିତ ହେବ। ଭୋର ୪ଟା ୩୦ ପୂର୍ବରୁ ପହଡ଼ ପଡ଼ିବ। ମଙ୍ଗଳବାର ଦିନତମାମ ମନ୍ଦିର ବନ୍ଦ ରହୁଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ସୂର୍ଯ୍ୟୋଦୟ ପରେ ମନ୍ଦିର ଖୋଲାଯାଇ ସମସ୍ତ ପୂଜାର୍ଚ୍ଚନା କରାଯିବାକୁ ନିଷ୍ପତ୍ତି ହୋଇଛି।

Related Articles

Back to top button