ଜାଗରରେ ଲଡୁବାବାଙ୍କ ପୀଠରେ ରାତି ୧୨ଟାରେ ଉଠିବ ମହାଦୀପ
ଶରଣକୁଳ: ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ଜାଗର ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୮ରେ ହେବାକୁ ଥିବା ଜାଗର ଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ପାଳନ କରାଯାଇପାରିବ ସେନେଇ ବିସ୍ତୁତ ଆଲୋଚନା ହୋଇଥିଲା। ଠାକୁରଙ୍କ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନୀତିକାନ୍ତି ଓ ଯାତ୍ରୀ ଦର୍ଶନ ଶୃଙ୍ଖଳାରେ କରିବା ପାଇଁ ମନ୍ଦିର ପରିଚାଳକ, ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ମହାଶିବରାତ୍ରୀ ଦିନ ଠାକୁରଙ୍କ ଅବକାଶ ନୀତି ରାତ୍ର ୧୨ଘଟିକାରୁ ଆରମ୍ଭ ହୋଇ ସକାଳ ପୂଜାନୀତି ଭୋର ୩ଟା ମଧ୍ୟରେ ସମ୍ପାଦିକ ହେବ। ଭୋର ୪ଟାରୁ ସନ୍ଧ୍ୟା ୬.୩୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ୬.୩୦ ରୁ ୭.୩୦ ସନ୍ଧ୍ୟା ପୂଜାନୀତି, ରାତ୍ର ୭.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଏବଂ ରାତ୍ର ୧୦.୩୦ ଠାରୁ ମହାଶିବରାତ୍ରୀ ବେଢା ପରିକ୍ରମା ହୋଇ ରାତ୍ର ୧୨ଟା ମଧ୍ୟରେ ମହାଦୀପ ଉଠିବ। ଏହାପରେ ଅନ୍ୟାନ୍ୟ ଦେବନୀତି ସମ୍ପନ୍ନ କରାଯାଇ ମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।