ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ: ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ବର : ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଏକ ସ୍ୱତନ୍ତ୍ର ଟିମ୍, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଙ୍ଗଳବାର ଅପରାହ୍ନରେ ଛତିଶଗଡ଼ ରାୟପୁରରେ ପହଞ୍ଚିବେ। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ ଖନବିକରଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ ସହିତ ଓଡିଶା ପକ୍ଷରୁ ଡ୍ୟାମ ସେଫଟି ନିର୍ଦ୍ଦେଶକ ସମେତ ଜଳସମ୍ପଦ ବିଭାଗ ଅଧିକାରୀ ଓ ବିଶେଷଜ୍ଞ ସାମିଲ ହେବେ । ଟ୍ରିବ୍ୟୁନାଲ ଟିମ୍ ଆସନ୍ତାକାଲି(ବୁଧବାର)ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍‌, ପକ୍ଷଭୁକ୍ତ ରାଜ୍ୟର ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ।

ସୂଚନାଯୋଗ୍ୟ, ଏପ୍ରିଲ ୧୯(ବୁଧବାର)ରୁ ୨୧ ମଧ୍ୟରେ, ମହାନଦୀର ଉତ୍ପତ୍ତି ସ୍ଥଳ ଫାରସିୟା ଗ୍ରାମ, ସନ୍ଦୁର ନଦୀବନ୍ଧ, ରବିଶଙ୍କର ସାଗର ଜଳାଶୟ, ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳ, ରବିଶଙ୍କର ସାଗର ପ୍ରକଳ୍ପ, ମୁରୁମସିଲି ଡ୍ୟାମ, ଦୁଧୱା ଡ୍ୟାମ ସାଇଟ, ନୂତନ ରୁଦ୍ରି ବ୍ୟାରେଜ, ସିଓନାଥ ଉପର ଅବବାହିକା, ଧାମଧାସ୍ଥିତ ତିମାରି ମାଇନର ଟ୍ୟାଙ୍କ, ଖଇରାଗଡ଼ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧ ବାବା ଟ୍ୟାଙ୍କ, ଚୁଇଖଦମସ୍ଥିତ ପିପାରିଆ ଡ୍ୟାମ ଆଦି ଟ୍ରିବ୍ୟୁନାଲ ଟିମ୍ ପରିଦର୍ଶନ କରିବେ। ଏହାପରେ ୨୨ରେ ଉପର ମହାନଦୀ ମୁଖ୍ୟ ଉପ-ଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ ପରେ ସେ ଦିନ ଟ୍ରିବ୍ୟୁନାଲ ଦିଲ୍ଲୀ ଫେରିଯିବେ।

 

Related Articles

Back to top button