ଆସନ୍ତାକଲି ପାଳିତ ହେବ ଭଉଁରୀ ଉତ୍ସବ : ଶେଷ ହେବ ମହାପ୍ରଭୁଙ୍କ ବାହାର ଚାପଖେଳ

ଚନ୍ଦନ ଯାତ୍ରା ବା ଚାପଖେଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସ୍ଵତନ୍ତ୍ର ନୀତିକାନ୍ତି ଅଟେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ରରେ ବିଶ୍ଵନିୟନ୍ତାଙ୍କ ବାର ମାସରେ ତେର ପର୍ବ ପାଳନ ହୁଏ । ଏଥି ମଧ୍ୟରେ ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସମସ୍ତ ଯାତ୍ରା ମଧ୍ୟରେ ଦୀର୍ଘକାଳୀନ ଯାତ୍ରା। ଏହି ଅବସରରେ ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଛନ୍ତି ମହାପ୍ରଭୁ । ଅକ୍ଷୟତୃତୀୟା ଠାରୁ ପ୍ରତ୍ୟେକ ଦିନ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବ ବିମାନରେ ନରେନ୍ଦ୍ର ପୁଷ୍କରିଣୀ ଆସି ଚାପ ଖେଳୁଛନ୍ତି । ତେବେ ଆସନ୍ତାକଲି ଭଉଁରୀ ଉତ୍ସବରେ ଶେଷ ହେବ ମହାପ୍ରଭୁଙ୍କ ବାହାର ଚାପଖେଳ ।

ମହାପ୍ରଭୁ ଦୀର୍ଘ ୪୨ଦିନ ଧରି ଚନ୍ଦନ ଯାତ୍ରା କରନ୍ତି। ୪୨ଦିନ ମଧ୍ୟରେ ୨୧ଦିନ ବାହାର ଚନ୍ଦନ ଯାତ୍ରା ଏବଂ ୨୧ଦିନ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଏହି ଶୀତଳ ଉପଚାର ବ୍ୟବହାର କରନ୍ତି। ଶ୍ରୀମନ୍ଦିରରେ ଯାତ ଭୋଗ ଶେଷ ହେବା ପରେ ରାମ, କୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଚନ୍ଦନ ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀ ଗମନ କରନ୍ତି। ସେଠାରେ ପହଞ୍ଚିବା ପରେ ମହାପ୍ରଭୁ ଏତେ ବାଟରୁ ଖରାରେ ଆସିଥିବାରୁ କାଳେ ଶୋଷ ହେଉଥିବ ସେଥିପାଇଁ ମହାପ୍ରଭୁଙ୍କୁ ଏକାୟିକ ସେବାୟତ ଭିତରଛ ମହାପାତ୍ର ଘସା ଜଳ ଲାଗି କରନ୍ତି । ଏହା ପରେ ମହାପ୍ରଭୁ, ରାମ, କୃଷ୍ଣ, ପଞ୍ଚ ମହାଦେବ ନନ୍ଦା ଓ ଭଦ୍ରା ନାମକ ଦୁଇଟି ଚାପରେ ବିରାଜମାନ କରନ୍ତି। ତାପରେ ଦିନ ଚାପ ଅନୁଷ୍ଠିତ ହୁଏ। ଚାପ ଖେଳିବା ସମୟରେ ମହାପ୍ରଭୁ ରଙ୍ଗାଧର ହଡ଼ପ ନାୟକ ସେବକଙ୍କ ହାତରୁ ଖଣ୍ଡିଏ ଖଣ୍ଡିଏ ବିଡ଼ିଆ ପାନ ଖାଆନ୍ତି। ଆନନ୍ଦରେ ଚାପ ଖେଳନ୍ତି। ଚାପ ଖେଳିସାରିବା ପରେ ଚନ୍ଦନ କୁଣ୍ଡରେ ବିଜେ ହୁଅନ୍ତି। ପରେ ୨୧ଦିନରେ ଚନ୍ଦନ ଚକଡା଼ ଉପରେ ୨୧ପ୍ରକାର ବେଶ ହୁଅନ୍ତି, ମାଣ୍ଡୁଅ ଭୋଗ ଖାଆନ୍ତି। ପୁନର୍ବାର ରାତ୍ରି ଚାପ ଖେଳନ୍ତି। ଚାପ ସରିବା ପରେ ମହାପ୍ରଭୁଙ୍କର ଶ୍ରୀମନ୍ଦିରକୁ ବାହୁଡା଼ ଯାତ୍ରା ହୁଏ ।ତେବେ ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଭଉଁରୀ ତିଥି ଅନ୍ତିମପର୍ବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ବନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐଶ୍ବାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡା କରନ୍ତି ।

Related Articles

Back to top button