
ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ପୋଡ଼ପିଠା ଲାଗି
ଆରଡ଼ି: ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶନିବାର ଭୋର ସାଢ଼େ ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ବାବା ଆଖଣ୍ଡଳମଣିଙ୍କ ସ୍ନାନକୃତ୍ୟ ସମ୍ପନ୍ନ ପରେ ପ୍ରଭୁଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରମ୍ପରା ଅନୁସାରେ ବାବାଙ୍କୁ ମକର ପୋଡ଼ପିଠା ସମର୍ପଣ କରାଯାଇଥିଲା। ପ୍ରଥମେ ପାଳିଆ ସେବାୟତ ଏହି ପୋଡ଼ପିଠା ପ୍ରସ୍ତୁତ କରି ବାବାଙ୍କୁ ଅର୍ପଣ କରିଥିଲେ। ପରେ ସମସ୍ତ ପାଳିଆ ସେବାୟତ ବାବାଙ୍କ ପାଖରେ ସେମାନଙ୍କ ପୋଡ଼ପିଠା ଲାଗି କରିଥିଲେ। କରୋନା କଟକଣା ପାଇଁ ୨ ବର୍ଷ ହେଲା ଭକ୍ତ ଏହି ପୋଡ଼ପିଠା ସେବନ କରିପାରି ନ ଥିଲେ। ଚଳିତବର୍ଷ କଟକଣା କୋହଳ ଥିବାରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ମଣିବାବାଙ୍କୁ ଦର୍ଶନ କରିବା ସହ ପୋଡ଼ପିଠା ଭୋଗ ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।