ଭୁବନେଶ୍ୱରରେ ଯୁବକଙ୍କୁ ଅପହରଣ ସମୟରେ ଚଳନ୍ତା କାରରୁ ଡେଇଁ ଜୀବନ ହାରିଲେ
ଭୁବନେଶ୍ୱର: ପୋଲିସକୁ ଚାଲେଞ୍ଜ ଦେଇ କିଛି ଦୁର୍ବୃତ୍ତ ଗତକାଲି ରାତି ୯ଟା ୩୦ରେ ଜଣେ ଯୁବକଙ୍କୁ ଅପହରଣ କରି ନେଉଥିଲେ । ତେବେ ଚଳନ୍ତାକାରରୁ ତଳକୁ ଡେଇଁପଡି ଖସି ଆସିବାକୁ ଚେଷ୍ଟା କରିଥିଲେ ଯୁବକ ଜଣକ । ଥାନାରେ ପହଞ୍ଚିଥିଲେ ସତ, ହେଲେ ସେଠାରେ ତାଙ୍କର ମୃତ୍ୟୁର ଘଟିଛି । ସହିଦ ନଗର ଥାନା ନିକଟରେ ଘଟିଛି ଏମିତି ଚାଞ୍ଚଲ୍ୟକର ଘଟଣା ।
ଗତକାଲି ରାତି ସାଢେ ୯ଟାରେ ଗାଡକଣର ବିଚିତ୍ର ପଲେଇ (୪୨ ବର୍ଷ )ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଉଠେଇ ଆଣିଥିଲେ । ତାଙ୍କୁ କାରରେ ନେଇ ଯାଉଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟରେ ବିଚିତ୍ର ଚଳନ୍ତା କାରରୁ ଡେଇଁ ପଡିଥିଲେ । ଦୁର୍ବୃତ୍ତଙ୍କ କବଳରୁ ବଞ୍ଚିବା ପାଇଁ କାରରୁ ଡେଇ ପଡିଲେ ସିନା, ଗୁରୁତର ହୋଇପଡିଥିଲେ । ତେବେ କୌଣସି ପ୍ରକାରେ ସହିଦ ନଗର ଥାନାରେ ପହଞ୍ଚିଥିଲେ ।
ଥାନାରେ ପହଞ୍ଚିବା ପରେ ସେ ଅଚେତ ହୋଇଯାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପକ୍ଷେ ବିଚତ୍ର କାରରୁ ଡେଇଁ ପଡିବା ପରେ ତାଙ୍କୁ ଧରିବା ପାଇଁ ୨ ଜଣ ତାଙ୍କ ପଛେ ପଛେ ଦୌଡୁଥିଲେ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଥିଲେ । ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ସହିଦନଗର ପୋଲିସ ୨ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଋଣ କାରବାରକୁ ନେଇ ୨ ଯୁବକ ବିଚିତ୍ରଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ବିଚତ୍ର ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇ ଫେରାଉ ନ ଥିଲେ । ଅଭିଯୁକ୍ତଙ୍କ କହିବା ଅନୁଯାୟୀ ସେମାନେ ବିଚତ୍ରକୁ ଧରି ପଟିଆ ଥାନାକୁ ନେଉଥିଲେ । ହେଲେ ଚଳନ୍ତା କାରରୁ ଡେଇଁପଡିଲା ।
ତେବେ ରାଜଧାନୀ ଛାତିରେ ଏପରି ଘଟଣା କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲିଟିଛି । ପୋଲିସ୍ ଘଟଣାର ଛାନଭିନ ଚଳାଇଛି।