ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଥମୁନି ମଣିପୁର ହିଂସା । ଦେଢ ମାସ ପରେ ବି ଉତ୍ତେଜନା ଲାଗି ରହିଛି । ସୁରକ୍ଷାବଳ ଉପରକୁ ଆକ୍ରମଣ କରିବା ସହିତ ପୋଡ଼ାଜଳା କରୁଛନ୍ତି ଉପଦ୍ରବକାରୀ । ତେବେ ହିଂସା ରୋକିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ଜୁନ୍ ୨୪ ତାରିଖରେ ଅପରାହ୍ଣରେ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ନୂଆଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ତୁରନ୍ତ ସୂଚନା ଦେଇଛନ୍ତି ।

ହେମନ୍ତ ବିଶ୍ବଶର୍ମ ଏନଡିଏ ବା ନର୍ଥ-ଇଷ୍ଟ ଡେମୋକ୍ରାଟିକ୍ ଆଲାଏନ୍ସର ସଂଯୋଜକ ରହିଛନ୍ତି । ସେ ଜୁନ୍ ୧୦ ତାରିଖରେ ଇମ୍ଫାଲ ଗସ୍ତ କରି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହ ଏବଂ ବରିଷ୍ଠ ନେତାଙ୍କ ସହିତ ହିଂସା ବାବଦରେ ଆଲୋଚନା କରିଥିଲେ ।

ଗତମାସରେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ମଣିପୁର ଗସ୍ତ କରିଥିଲେ । ରାଜ୍ୟ ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ସ୍ଥାନ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ କୁକି ଓ ମୈଇତି ସମୁଦାୟର ପୀଡିତଙ୍କୁ ଭେଟ କରି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଆଶ୍ବସନା ଦେଇଥିଲେ ।

ସେପଟେ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବିରୋଧୀ ଦଳର ନେତା ପ୍ରଶ୍ନ କରିଛନ୍ତି । ବୁଧବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଣିପୁର ହିଂସାକୁ ନେଇ ମୁହଁ ଖୋଲିଛନ୍ତି । ରାଜ୍ୟରେ ଦେଢ଼ ମାସ ଧରି ଲାଗିରହିଥିବା ହିଂସା ମଣିପୁରକୁ କ୍ଷତ ପହଞ୍ଚାଇଛି ବୋଲି ସୋନିଆ କହିଛନ୍ତି । ଅନ୍ୟପଟେ ରାଜନୈତିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସର୍ବଦଳୀୟ ବୈଠକର ଗୋଟିଏ ଦିନ ପୂର୍ବରୁ ତଥା ଜୁନ୍ ୨୩ ତାରିଖରେ ପାଟଣାରେ ବିରୋଧୀ ଦଳମାନେ ଏକଜୁଟ୍ ହେଉଛନ୍ତି । ଏହି ମିଟିଂରେ ମଣିପୁର ହିଂସାକୁ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ମଣିପୁରରେ ମେ’ ୩ ତାରିଖରୁ କୁକି ଓ ମୈଇତି ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି । ଦେଢ ମାସ ପରେ ବି ଥମୁନି ଉତ୍ତେଜନା । ଏହି ହିଂସାରେ ଏପର୍ଯ୍ୟନ୍ତ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ବହୁ ସଂଖ୍ୟାରେ ଲୋକ ଆଗତ ହୋଇଛନ୍ତି ।

Related Articles

Back to top button