ରାଜ୍ୟରେ ଅଧିକାଂଶ ସ୍ୱୟଂଶାସିତ କଲେଜରେ ନାହିଁ ନାକ୍ ମାନ୍ୟତା

ଭୁବନେଶ୍ବର: ରାଜ୍ୟରେ ଚାଲୁଥିବା ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ସ୍ୱୟଂଶାସିତ କଲେଜରେ ନାହିଁ ‘ନାକ୍’ ମାନ୍ୟତା । ଓଡ଼ିଶାର ୧୫ ସରକାରୀ ଏବଂ ୧୭ ଅନୁଦାନପ୍ରାପ୍ତ କଲେଜକୁ ମିଶାଇ ୩୨ଟି ସ୍ୱୟଂଶାସିତ କଲେଜ ମଧ୍ୟରୁ ୩୦ କଲେଜର ନାହିଁ ‘ନାକ୍’ ମାନ୍ୟତା । ସମୟ ଗଡ଼ିଗଲା ପରେ ବି ଏହି କଲେଜ ଗୁଡିକ ମାନ୍ୟତାର ନବୀକରଣ କରିନାହାନ୍ତି । ୧୫ ସରକାରୀ ସ୍ୱୟଂଶାସିତ କଲେଜ ମଧ୍ୟରୁ ୧୪ କଲେଜର ‘ନାକ୍’ ମାନ୍ୟତା ହରାଇଛନ୍ତି ।

ସେହିପରି ୧୭ ଅନୁଦାନପ୍ରାପ୍ତ କଲେଜ ମଧ୍ୟରୁ ୧୩ କଲେଜ ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି । ସବୁଠୁ ବଡ଼ କଥା ହେଲା ‘ନାକ୍’ ମାନ୍ୟତା ଲାଗି କୌଣସି ଅନୁଦାନପ୍ରାପ୍ତ କଲେଜର ଯୋଗ୍ୟତା ନାହିଁ । ରାଜ୍ୟର ସବୁଠୁ ନାମୀ ବିଜେବି କଲେଜ ମଧ୍ୟ ‘ନାକ୍’ ମାନ୍ୟତାର ନବୀକରଣ କରିନାହିଁ । ଏନେଇ ଶିକ୍ଷାବିତ୍ କହିଛନ୍ତି, “ଶିକ୍ଷା ବିଭାଗରେ ଏଭଳି ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଯେଉଁ ଛାତ୍ରଛାତ୍ରୀ ଏହି କଲେଜରୁ ଡିଗ୍ରୀ ହାସଲ କରିବେ ସେହି ସେମାନଙ୍କ ଗ୍ରହଣ ଯୋଗ୍ୟ ହେବା ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି ।

ଏଥିପ୍ରତି ସରକାର ଚିନ୍ତା କରିବା ଆବଶ୍ୟକତା ରହିଛି । ପ୍ରାୟତଃ ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ଏବଂ ୬୦ ପ୍ରତିଶତ ଅଧ୍ୟାପକ ପଦ ଖାଲି ରହିଛି । କେତେକ ଅବ୍ୟବସ୍ଥା ଯୋଗୁଁ କଲେଜ ସେମାନଙ୍କ ଅଟୋନମି ହରାଇଛନ୍ତି ।” ଅନ୍ୟପଟେ ଖୁବଶୀଘ୍ର ବାର୍ଷିକ ଗୁଣବତ୍ତା ବା ଏକ୍ୟୁଏଆର ରିପୋର୍ଟ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି କଲେଜର ଅଧ୍ୟକ୍ଷ । ଶୈଳବାଳା ମହିଳା ମହାବିଦ୍ୟାଳୟର ‘ନାକ୍’ ମାନ୍ୟତା ନଥିବାବେଳେ ଖୁବଶୀଘ୍ର ଷ୍ଟାଟସ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି ।

ଖୋର୍ଦ୍ଧା ପି.ଏନ. ଅଟୋନୋମସ କଲେଜ ମଧ୍ୟ ‘ନାକ୍’ ମାନ୍ୟତା ନବୀକରଣ କରିନାହିଁ । ଏହି ତାଲିକାରେ ରାଜ୍ୟର ବଡ଼ବଡ଼ କଲେଜ ସ୍ଥାନ ପାଇଛି । ‘ନାକ୍’ ମାନ୍ୟତାରେ ଗ୍ରେଡ ‘ଏ’ ବା ୩.୦୧ ସିଜିପିଏ ପାଇବା ପରେ ହିଁ ସ୍ୱୟଂଶାସିତ ଷ୍ଟାଟସ୍ ମିଳିଥାଏ । ଏବେ ପ୍ରଶ୍ନ ଉଠୁଛି, ‘ନାକ୍’ ମାନ୍ୟତାର ନବୀକରଣ ପାଇଁ କାହିଁକି ଆଗ୍ରହ ଦେଖାଉନାହାନ୍ତି କଲେଜ ? ଶିକ୍ଷାର ମାନ ‘ନାକ୍’ ମାପଦଣ୍ଡ ଅନୁରୂପ ହେଉନାହିଁ କି । ଯେଉଁ ଲକ୍ଷ୍ୟ ନେଇ ସ୍ୱୟଂଶାସିତ କଲେଜରେ ପିଲା ପଢୁଛନ୍ତି, ଭବିଷ୍ୟତରେ ସେମାନେ ଅସୁବିଧାରେ ସମ୍ମୁଖୀନ ହେବେନି ତ ? ତାହା ଏବେ ବଡ଼ ପ୍ରଶ୍ନ ।

Related Articles

Back to top button