ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି
ରାଜ୍ୟରେ ଛାଡି ଯାଇଛି ଅଦିନିଆ ବର୍ଷା ଆଉ ତାପରେ ଦୁଇ ଦିନ ହେବ ପଡିଛି ଶୀତ । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ଯାହା ବର୍ତମାନ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବାର ଥିବାରୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।
ଚାରି ଆଡେ କୁହୁଡ଼ି ସାଙ୍ଗରେ ପଡିଛି କାକର ବିନ୍ଦୁ , ଜାଡ଼ ଆଉ କୋହଲା ପବନ ପଲ୍ଲୀ ଠାରୁ ସହର ଜନଜୀବନକୁ ଅସ୍ତବ୍ୟସ୍ତ କରିପକେଇଛି। ଏସବୁ ଭିତରେ ଉଷୁମ ଖୋଜୁଛି ପାହାଡ଼ି ଓ ଗାଁ ଗହଳିରେ ଜୀବନ । କୋରାପୁଟରୁ କେନ୍ଦୁଝର,ଦାରିଙ୍ଗିବାଡ଼ି ଠୁ ଫୁଲବାଣୀ ଆଉଫୁଲବାଣୀରୁ ସୁନ୍ଦରଗଡ଼,କଟକ ରୁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ହଠାତ ଖସିବା ପରେ, ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଛି ଶୀତଋତୁ । ଡେରିରେ ହେଉ ପଛେ ଶୀତର ପରଶ ପାଇଛି ସାରା ରାଜ୍ୟ । ସବୁ ଘର ଟ୍ରଙ୍କରୁ ବାହାରିଛି କମ୍ବଳ ,ଚାଦର |। ସକାଳ ୧୦ଟା ଯାଏଁ କୁହୁଡ଼ି ରହୁଛି ତେଣୁ ମର୍ଣ୍ଣିୱାକ୍ ଓ ଯୋଗ ବ୍ୟାୟାମ ସାଙ୍ଗକୁ ଚାହା ଦୋକାନରେ ବଢିଛି ଚା କପ୍’ର ଡିମାଣ୍ଡ ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ୯.୪ ଓ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଥିଲା ରାତି ପାରଦ। ସେହିପରି ଭୁବନେଶ୍ୱର ଓ କଟକରେ ବି ୧୫ ଡିଗ୍ରୀ ତଳେ ଥିଲା ତାପମାତ୍ରା । ଅନ୍ୟପଟେ କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆଗାମୀ ସପ୍ତାହେ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ। ସର୍ବନିମ୍ନ ତାପମାତ୍ରା ବି ୪-୫ ଦିନ ଯାଏଁ ବିଶେଷ ବଦଳିବା ସମ୍ଭାବନା ନାହିଁ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତାଠୁ କମ୍ ରହିବ । କିଛି ସ୍ଥାନରେ ଏହା ୧୦ ଡିଗ୍ରୀ ତଳକୁ ବି ଖସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।