ଅସମ୍ଭାଳ ଭିଡ଼ କାରଣରୁ ବଡ଼ମ୍ବା-ଗୋପିନାଥପୁର ଟି-ବ୍ରିଜ ଉପରେ ଦଳାଚକଟା: ଜଣଙ୍କର ମୃତ୍ୟୁ, ୨୦ ଜଣ ଆହତ

ବାଙ୍କୀ: ବାଙ୍କୀ ସିଂହନାଥ ପୀଠ ନିକଟ ଟି-ବ୍ରିଜ ଉପରେ ଦଳାଚକଟା । ଟି-ବ୍ରିଜ ଉପରେ ଦଳାଚକଟା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ସେମାନଙ୍କୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି।

ମକର ମେଳା ପାଇଁ ଲକ୍ଷାଧିକ ଲୋକ ଏହି ବ୍ରିଜ୍‌ ଯୋଗ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା।ଏହି ମେଳାରେ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍‌ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ବ୍ରିଜ୍‌ର ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ବ୍ରିଜ୍‌ ଉପରେ ହାଠତ୍‌ ଜାମ୍‌ ହୋଇ ଯାଇଥିଲା। ଫଳରେ ଦଳାଚକଟା ହୋଇଥିଲା।

ବ୍ରିଜ ଉପରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆହତ ଶ୍ରଦ୍ଧାଳୁଙ୍କୁ ବାଙ୍କୀ, ବୈଦେଶ୍ୱର, ଗୋପୀନାଥପୁର ଓ ବଡ଼ମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଶ୍ରଦ୍ଧାଳୁଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମହାନଦୀ ଉପରେ ନିର୍ମିତ ଟି-ବ୍ରିଜ ଉପରେ ଏହି ଅଘଟଣ ପରେ ଘଟଣାସ୍ଥଳରେ ବୈଦେଶ୍ବର ଆଇଆଇସି, ଆଠଗଡ଼ ଏସଡିପିଓ । ଏସଡିପିଓଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ମୁତୟନ । ଘଟଣାସ୍ଥଳରେ ଆଠଗଡ଼ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ବାଙ୍କୀ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ବଡ଼ମ୍ବା ସିଂହନାଥ ପୀଠରେ ଦଳ ଚକଟା ଘଟଣାରେ କଟକ ସ୍ଥାନାନ୍ତର ହେଉଥିବା ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲର ସମ୍ପୁର୍ଣ୍ଣ ପ୍ରସ୍ତତ ରହିଛି। ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି।ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖାଯାଇଛି। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।

Related Articles

Back to top button