
ଜଙ୍ଗଲ ବିଭାଗ ପକ୍ଷରୁ ବନ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ
ଗ୍ରୀଷ୍ମ ପ୍ରବାହ ସହ ଜଙ୍ଗଲରେ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି । ଜଙ୍ଗଲ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ବନ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା ।ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସେନେଇ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଫାୟାର ଲାଇନ ୧୪ ଗୁଣ ବୃଦ୍ଧି କାରାଯାଇଛି ।ରାଜ୍ୟରେ ବିଭିନ୍ନ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପ୍ରତିରୋଧ ଓ ପରିଚାଳନକୁ ଦୃଢ଼ କରିବା ପାଇଁ ପିସିସିଏଫ ପ୍ରେମ କୁମାର ଝାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସି ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ବନ୍ୟପ୍ରାଣୀ ଡିଭିଜନ, ଅଭୟାରଣ୍ୟର ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସହିତ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବନଖଣ୍ଡ ଅଧିକାରୀ ଅଂଶଗ୍ରହଣ କରିଥିଲେ ।
ଜଙ୍ଗଲ ନିଆଁ ପ୍ରଶମନ କ୍ଷେତ୍ରରେ ବିଭାଗ ପକ୍ଷରୁ କେତେକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ସେଗୁଡିକ ମଧ୍ୟରେ ୨୦୨୩-୨୪ ରେ ୪୧ ଟି ସ୍କ୍ବାଡ ଗଠନ କରାଯାଇଥିବା ବେଳେ ୨୦୨୪-୨୫ ରେ ଏହାକୁ ଦ୍ବିଗୁଣିତ କରାଯାଇଛି ଅର୍ଥାତ ୯୦ କୁ ବୃଦ୍ଧି କରାଯାଇଛି।ସେହିଭଳି, ଅଗ୍ନି ପ୍ରଶମନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ସଂଖ୍ୟା ୨୦୨୩-୨୪ ରେ ୨୦୫ ଥିବାବେଳେ ୨୦୨୪-୨୫ ରେ ୬୯୦କୁ ବୃଦ୍ଧି କରାଯାଇଛି । ୨୦୨୩ରେ ୪୧ ଟି ଅଗ୍ନି ନିର୍ବାପକ ଯାନ ରହିଥିବା ବେଳେଏହି ସଂଖ୍ୟା ୯୦କୁ ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଫାୟାର ଲାଇନ ୧୪ ଗୁଣ ବୃଦ୍ଧି କାରାଯାଇଛି। ୨୦୨୪ରେ ସମୁଦାୟ ୭୩୮ କିଲୋମିଟର ଫାୟାର ଲାଇନ ଥିବା ବେଳେ ୨୦୨୫ ରେ ତାହା ୧୦୫୪୧ କିଲୋମିଟରକୁ ବୃଦ୍ଧି ହୋଇଛି ।