୨୦ ବର୍ଷରେ ଓଡ଼ିଶାରେ ବଢ଼ିଛି କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୨୦ ବର୍ଷରେ କ୍ଷୀର, ଅଣ୍ଡା ଓ ମାଂସ ଉତ୍ପାଦନ ବଢ଼ିଛି। ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କ୍ଷୀର ଓ ଅଣ୍ଡା ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଥିବା ବେଳେ ମାଂସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ସୂଚନା ଦେଇ କହିଛନ୍ତି।
ମନ୍ତ୍ରୀ ହିସାବ ଦେଇ କହିଛନ୍ତି ଯେ ୨୦୦୦ ମସିହାର କ୍ଷୀର ଉତ୍ପାଦନ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୧ରେ ଏହା ବଢ଼ି ୨୩.୭୩ ଲକ୍ଷ ମେଟ୍ରିକ ଟନ୍ରେ ହୋଇଛି। ସେହିପରି ଉକ୍ତ ଅବଧି ମଧ୍ୟରେ ମାଂସ ଉତ୍ପାଦନରେ ୩୮.୩୮ ହଜାର ମେଟ୍ରିକ ଟନରୁ ବୃଦ୍ଧି ପାଇଁ ୨୧୩.୦୯ ହଜାର ମେଟ୍ରିକ ଟନ ହୋଇଛି। ଅଣ୍ଡାରେ ଉତ୍ପାଦନ ବୃଦ୍ଧି ପାଇ ୭୩୦୧.୦୪ ଲକ୍ଷରୁ ୨୪୨୪୨.୬୭ ଲକ୍ଷରେ ପହଞ୍ଚିଛି। ସେହିପରି ରାଜ୍ୟରେ ପ୍ରାଣୀ ଚିକିତ୍ସା ଓ ଚାଷୀଙ୍କ ସମସ୍ୟାର ନିରାକରଣ ପାଇଁ ଥିବା ସୁବିଧା ବିଷୟରେ ବି ସୂଚନା ଦେଇଛନ୍ତି ମନ୍ତ୍ରୀ। ସୂଚନା ଅନୁସାରେ, ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଓ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ରହିଛି। ଏହି ସହାୟକ କେନ୍ଦ୍ର କୃଷକ, ଉଦ୍ୟୋଗୀ ଓ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।