ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ରାଜ୍ୟ ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ

ଆଉ କିଛିଟା ଦିନ ପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ରାଜ୍ୟ ସରକାର ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟିର ନେତୃତ୍ୱ ନେବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ଆଉ ୪ ଜଣ ମନ୍ତ୍ରୀ ଏବଂ ଜଣେ ସଚିବ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ କମିଟିର ଆବାହକ ଅଛନ୍ତି । ଏହି କମିଟି ରଥ ଯାତ୍ରାକୁ ଶୃଙ୍ଖଳିତଭାବେ ପରିଚାଳନା କରିବେ । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ରଥଯାତ୍ରାରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଯୋଗ ଦେବାର ବେଶ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି କାର୍ଯ୍ୟପନ୍ଥା ସ୍ଥିର ହୋଇ ନାହିଁ । ମାତ୍ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।

Related Articles

Back to top button