ଲୁହା ରଡ଼ରେ ବାଡେଇ ଭାଙ୍ଗିଦେଲେ ମୋ ବସ କାଚ, ଡ୍ରାଇଭର ଆହତ

ଭୁବନେଶ୍ୱର: ସୁନ୍ଦରପଦା ଜଟଣୀ ରାସ୍ତାରେ ମୋ ବସ ଉପରେ ନିର୍ଘାତ ମାଡ଼। ଲୁହା ରଡ଼ରେ ବାଡେଇ ଭାଙ୍ଗିଦେଲେ ବସ କାଚ। ଆହତ ଡ୍ରାଇଭର ଥାନାରେ ଏତଲା ଦେବା ପରେ ବି ପୋଲିସ ପହଞ୍ଚିନି।  ସୂଚନା ମୁତାବକ  ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ସୁନ୍ଦରପଦା ଦେଇ ରୁଟ  ନମ୍ବର 22 A ବିଶିଷ୍ଟ ମୋ ବସକୁ ଓଇସି ଛକ ପାଖରେ ଦିନ ମଧ୍ୟାହ୍ଣ ୧୨ ଟାରେ ଜଣେ ଯୁବକ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ରଡ଼ରେ ଡ୍ରାଇଭର ସାଇଡରୁ ଆସି ନିର୍ଘାତ ମାଡ଼ ମାରି ଚାଲିଥିଲେ।

ସାଇଡ ଗ୍ଲାସ ଭାଙ୍ଗିବା ପରେ ସାମ୍ନା ପଟରୁ ମଧ୍ୟ କାଚକୁ ବାଡେଇ ଭାଙ୍ଗିଥିଲେ। ଭଙ୍ଗା କାଚ ବାଜି ଡ୍ରାଇଭର ହାତ ଗୋଡ଼ ମୁହଁରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ମୋ ବସ ଅଧିକାରୀମାନେ ପହଞ୍ଚି ଡ୍ରାଇଭରଙ୍କୁ ଚିକିତ୍ସା କରାଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡ୍ରାଇଭର ଜଣଙ୍କ ଘର ନୟାଗଡ଼ର ବାସିନ୍ଦା। ବସ ଟି ସୁନ୍ଦରପଦା ଆଡ଼ୁ ଆସିବା ବେଳେ ବିରବନ୍ଧ ନିକଟରେ ରାସ୍ତା ଉପରେ ଯାତ୍ରୀ ଉଠାଉଥିଲେ।

ରାସ୍ତା ଅଣଓସାରିଆ ଏବଂ ବସଟି ରାସ୍ତା ଉପରେ ଛିଡା କରି ଯାତ୍ରୀ ଉଠାଉଥିଲେ ପଛରୁ ଆସୁଥିବା ଲୋକମାନେ ଗାଡି ବ୍ରେକ କରି ଛିଡା ହୋଇ ରହିଥିଲେ। ଆକ୍ରମଣ କରିଥିବା ଯୁବକ ମଧ୍ୟ ସେହି ସମୟରେ ଆସି ଡ୍ରାଇଭର ସହ ଯୁକ୍ତି କରି ହୋ ହାଲ୍ଲା କରିଥିଲା। ଯୁବକ ଜଣକ ବସ ଆଗେ ଆଗେ ଆସି ଓଇସି ଛକ ପାଖରେ ଥିବା ନିଜ ଦୋକାନରୁ ଲୁହା ରଡ଼ ଆଣି ଗାଡିକୁ ଅଟକାଇ ନିର୍ଘାତ ପ୍ରହାର କରିଥିଲେ। ଗାଡିର କାଚ ଭାଙ୍ଗି ଯିବାରୁ ଡ୍ରାଇଭର ଆହତ ହୋଇଛନ୍ତି। ପରେ ଥାନାରେ  ଏନେଇ ଅଭିଯୋଗ ଦିଆଯାଇଛି।

Related Articles

Back to top button