ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

କଟକ: ‘ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ।’  ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେବା ପରେ ଏଭଳି ମତ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,  ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଏହା ସମ୍ବିଧାନର ସର୍ବୋଚ୍ଚ ପଦ । ଏହା ଉପରେ ଦଳର କିଛି ହୁଇପ ନ ଥାଏ। ସାଂସଦ କିମ୍ବା ବିଧାୟକ ନିଜ ମନୋନୀତ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି।

ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି । ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ଏଥିନିମନ୍ତେ ମୋତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

Related Articles

Back to top button