୧୫ଦିନ ଆଗରୁ ଓଡ଼ିଶା ଛୁଇଁଥିବା ମୈାସୁମୀ ହେଲା ଦୁର୍ବଳ: ସପ୍ତାହେ ପର୍ଯ୍ୟନ୍ତ ଆଗକୁ ଅଗ୍ରସର ହେବାର ନାହିଁ ସମ୍ଭାବନା

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳକୁ ୮ଦିନ ପୁର୍ବରୁ ଛୁଇଁଥିବା ବେଳେ ଓଡ଼ିଶାକୁ ୧୫ଦିନ ଆଗରୁ ଆସିଥିଲା। ହେଲେ ମୌସୁମୀ ସ୍ପର୍ଶ କରିବାର ଦୁଇଦିନ ପରେ ଦୁର୍ବଳ ହୋଇଛି। ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରିବା ସହ ଗୁରୁବାର ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିଥିଲା। ଶୁକ୍ରବାର ଭବାନୀପାଟଣା ଏବଂ ପୁରୀ ଜିଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଅନ୍ୟାନ୍ୟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ନାହିଁ। ପୁରୀ ଏବଂ ଭବାନୀପାଟଣାରେ ମୌସୁମୀ ଅଟକି ଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି ଯେ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ମୌସୁମୀ ଆଗକୁ ଅଗ୍ରସର ହେବାର ସମ୍ଭାବନା ନାହିଁ, ଅର୍ଥାତ ରାଜ୍ୟରେ ମୌସୁମୀ ଦୁର୍ବଳ ଅବସ୍ଥାକୁ ଆସି ଯାଇଛି।

ଅବପାତ ଉତ୍ତର ବାଂଲାଦେଶରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୌସୁମୀ ସଅଳ ଆସିଥିଲେ ବି ଏହାର ବଡ଼ଧରଣର ପ୍ରଭାବ ପଡ଼ିନାହିଁ। କେବଳ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେବା ପରେ ମୌସୁମୀ ରାଜ୍ୟରେ ଏବେ ସକ୍ରିୟ ନାହିଁ। ରଜ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ରଜ ପରେ ପୁନର୍ବାର ମୌସୁମୀ ସକ୍ରିୟ ହୋଇପାରେ।

Related Articles

Back to top button