ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ

ଭୁୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀ ଜନିତ ନିମ୍ନ ଚାପ ରେଖା ଏହାର ସ୍ୱାଭାବିକ ଅବସ୍ଥିତି ଠାରୁ ଉତ୍ତରରେ ରହୁଥିବାରୁ, ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି । ଏହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ, ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତକ ଅଞ୍ଚଳରେ ବିଜୁଳି ଘଡ ଘଡି ସହ ବର୍ଷାର ସମ୍ଭାବନା ରହିଛି

ଗତ ୨୪ ଘଣ୍ଟା ମଧ୍ୟରେ ୧.୧ ମିମି. ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବର୍ଷା ୧୪ ମିମି. ତୁଳନାରେ ୯୨% କମ୍ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବୁଧବାର  ୩.୧ ମିମି. ସ୍ୱାଭାବିକ ବର୍ଷା ୧୨.୬ ମିମି ତୁଳନାରେ ୭୫% କମ୍  ଓ ମଙ୍ଗଳବାର ୫.୫ ମିମି.ସ୍ୱାଭାବିକ ବର୍ଷା ୧୨.୩ ତୁଳନାରେ ୫୫% କମ୍ ରେକର୍ଡ କରାଯାଇଛି।

ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ନୟାଗଡ଼ ପ୍ରଭୃତି ୧୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି  ପାଣିପାଗ ବିଭାଗ ପକ୍ଷରୁ ଏହି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଦେବଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related Articles

Back to top button