
ଟିଟିଲାଗଡରେ ଡିଲ୍ ଚାଲିଥିବାବେଳେ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ୍ ଜବତ କଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍
ଟିଟିଲାଗଡ଼: ରାଜ୍ୟରେ ନକଲି ନୋଟ କାରବାର ଦିନକୁ ଦିନ ବଢି ଚାଲିଛି। ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ପରେ ଏବେ ବଲାଙ୍ଗୀରରେ ନକଲି ନୋଟ୍ କାରବାର ଧରାପଡିଛି। ଟିଟିଲାଗଡ଼ ସହର ବସ୍ଷ୍ଟାଣ୍ଡ୍ ନିକଟ ପାର୍କରେ ଡିଲ୍ ଚାଲିଥିବାବେଳେ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ନୋଟ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।
ତାଙ୍କଠାରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କା ନକଲି ନୋଟ, ଗୋଟିଏ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଜବତ ନୋଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା। ଏନେଇ ଏସ୍ଟିଏଫ୍ ବିଭିନ୍ନ ଦଫାରେ ମାମଲା (ନଂ.୪/୨୩ ) ରୁଜୁ କରି ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ଏସ୍ଡିଜେଏମ୍ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଏହି କାରବାର ପାଇଁ ୫ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପଚରାଉଚରାବେଳେ ଅଭିଯୁକ୍ତ ଲିଙ୍ଗରାଜ କହିଛନ୍ତି। ତେବେ ଜବତ ନକଲି ନୋଟ୍କୁ ପଶ୍ଚିମବଙ୍ଗସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡ୍କୁ ଯାଞ୍ଚ ପାଇଁ ପଠାଯିବ। ଏହା କେଉଁଠି ଛପା ଯାଇଥିଲା, ର଼୍ୟାକେଟର ମାଷ୍ଟରମାଇଣ୍ଡ୍ କିଏ, ପୂର୍ବରୁ ଜବତ ନକଲି ନୋଟ୍ ସହ ଏହାର ଲିଙ୍କ୍ ରହିଛି କି ନାହିଁ ତାହାର ଅଧିକ ତଦନ୍ତ ପାଇଁ ଲିଙ୍ଗରାଜଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଏସ୍ଟିଏଫ୍।
ଏସଟିଏଫ୍ର ସୂଚନାନୁସାରେ, ଅଭିଯୁକ୍ତ ଲିଙ୍ଗରାଜ ଗତ ୧ ତାରିଖରେ ଉକ୍ତ ନକଲି ନୋଟ୍କୁ ଅନ୍ୟ ଜଣଙ୍କୁ ଦେବାକୁ ଅପେକ୍ଷା କରିଥିଲେ। ଖବର ପାଇ ଏସ୍ଟିଏଫ୍ ଓ ସ୍ଥାନୀୟ ପୋଲିସ୍ ଟିମ୍ ସଦଳବଳେ ଚଢାଉ କରି ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ରାକେଟରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତ ରହିଥିବା ଏସଟିଏଫ୍ ଜାଣିବାକୁ ପାଇଛି। ତେଣୁ ସେମାନଙ୍କୁ ଧରିବା ଲାଗି ବିଭିନ୍ନ ଜାଗାରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏସ୍ଟିଏଫ୍ ଦ୍ୱାରା ୭୮ ଲକ୍ଷ ୭୦ ହଜାର ୬୦୦ ଟଙ୍କାର ନକଲି ନୋଟ ଜବତ ହୋଇଛି।