
ଏପ୍ରିଲ ୧୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ, ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ
ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖରୁ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ।
ତେବେ ବିଶେଷ କ୍ଷେତ୍ରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟମାନଙ୍କର ସମୟକୁ ନିର୍ଘଣ୍ଟ ପରିବର୍ତ୍ତନ କିମ୍ବା ଆବଶ୍ୟକ ପଡ଼ିଲେ ଛୁଟି ଘୋଷଣା କରିପାରିବେ। ଏହା ସହିତ ବିଦ୍ୟାଳୟ ଖୋଲିବା ସମୟରେ ସେଠାରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହା ସହ ଅଙ୍ଗନବାଡି ମଧ୍ୟ ବନ୍ଦ ରହିଥିଲା। ଜାପାନ ଗସ୍ତରୁ ଫେରିବା ପରେ ନବୀନ ପଟ୍ଟନାୟକ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଏହି ସମୟରେ ଦିନରେ ଖରା ବଢିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ହୋଇ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।