କେନ୍ଦୁଝର ଏମ୍ଏସ୍ସିବି ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ଧରଣୀଧର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର ହେବ
ଭୁବନେଶ୍ବର : କେନ୍ଦୁଝରଠାରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିବି) ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସକୁ ନୂଆ କରି ପ୍ରତିଷ୍ଠା ହୋଇଥିବା ଧରଣୀଧର ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର ହେବ। ଏମ୍ଏସ୍ସିବି କ୍ୟାମ୍ପସରେ ଥିବା ସମସ୍ତ ବିଭାଗ, ପ୍ରଫେସର ଓ କର୍ମଚାରୀମାନେ ବାରିପଦାସ୍ଥିତ ମୁଖ୍ୟ କ୍ୟାମ୍ପସକୁ ଫେରିବ। ଧରଣୀଧର ବିଶ୍ବବିଦ୍ୟାଳୟ ଓ ଏମ୍ଏସ୍ସିବି ଦ୍ବିତୀୟ କ୍ୟାମ୍ପସ ମଧ୍ୟରେ ଦୂରତା ମାତ୍ର ୮ କିମି ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦୁଝର ଜିଲ୍ଲାପାଳଙ୍କ ସହାୟତାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଉକ୍ତ ଅଞ୍ଚଳକୁ ଯାଇ ଉଭୟ କ୍ୟାମ୍ପସ ଭିତ୍ତିଭୂମି ଯାଞ୍ଚ କରିବେ। ଏଥିସହ ଉକ୍ତ କମିଟି ଉଭୟ କ୍ୟାମ୍ପସ୍ର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ତିନି ଦିନ ତଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେପଟେ ନୂଆ କରି ପ୍ରତିଷ୍ଠା ହୋଇଥିବା କୋରାପୁଟସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଲାଗି ଅତିରିକ୍ତ ସ୍ଥାନର ଆବଶ୍ୟକତା ରହିଛି। ଏବେ କ୍ୟାମ୍ପସ ଯେତିକି ଅଞ୍ଚଳରେ ରହିଛି, ତାହା ଯଥେଷ୍ଟ ନୁହେଁ। ତେଣୁ ବିକ୍ରମଦେବ ବିଶ୍ବବିଦ୍ୟାଳୟ ନିକଟରେ ଅବ୍ୟବହୃତ ହୋଇ ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପର ଜମି ଓ କୋଠାକୁ ବିଶ୍ବବିଦ୍ୟାଳୟ ଲାଗି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋରାପୁଟ ଜିଲ୍ଲାପାଳ ଏନେଇ ଜଳସମ୍ପଦ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବାକୁ କୁହାଯାଇଛି।
ଉଭୟ ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ହେବେ। ଉକ୍ତ ଅଞ୍ଚଳରେ ଥିବା ଯୁକ୍ତ୩ କଲେଜଗୁଡ଼ିକ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ଉଦାହରଣ ସ୍ବରୂପ କେନ୍ଦୁଝର ଜିଲ୍ଲାରେ ଏମ୍ଏସ୍ସିବି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକ ଏଣିକି ଧରଣୀଧର ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଉକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ଚାଲିଥିବା ୟୁଜି(ସ୍ନାତକ) ପାଠ୍ୟକ୍ରମ ବିଶ୍ବବିଦ୍ୟାଳୟର ବିଷୟ ଭାବେ ଚାଲିବ। ଏବେ ବିକ୍ରମଦେବ କଲେଜ ଓ ଧରଣୀଧର କଲେଜ ଯେଉଁ କ୍ୟାମ୍ପସରେ ଚାଲିଛି, ତାହା ସେଠାରେ ହିଁ ରହିବ।
ଉକ୍ତ ଦୁଇ କଲେଜରେ ଥିବା ସମସ୍ତ ଅଧ୍ୟାପକ ଓ ଅଣ-ଶିକ୍ଷକମାନେ ବିଶ୍ବବିଦ୍ୟାଳୟରେ ନିୟୋଜିତ ହେବା ସହ କାର୍ଯ୍ୟ କରିବେ। ୟୁଜିସି ନିୟମ ଅନୁଯାୟୀ, ଉକ୍ତ ଦୁଇ ବିଶ୍ବବିଦ୍ୟାଳୟରେ ନିୟୋଜିତ ହେବାକୁ ଥିବା ଅଧ୍ୟାପକ ଓ ଅଣ-ଶିକ୍ଷକଙ୍କ ପାଇଁ ଆବଶ୍ୟକ ଅର୍ଥ ଉଚ୍ଚଶିକ୍ଷା ବିଭାଗ ପ୍ରଦାନ କରିବ। ନିୟମିତ କୁଳପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଣେ ବିଶିଷ୍ଟ ପ୍ରଫେସରଙ୍କୁ ବିଶ୍ବବିଦ୍ୟାଳୟର ଓଏସ୍ଡି ପଦବିରେ ଅଧିଷ୍ଠିତ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଠାଯିବାକୁ ଥିବା ପ୍ରସ୍ତାବ ଆଧାରରେ ଓଏସ୍ଡି ଚୟନ ହେବେ। ତେବେ ନିୟମିତ କୁଳସଚିବ ନିଯୁକ୍ତ ହେବା ପର୍ଯ୍ୟନ୍ତ ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଭାବେ ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ଶିକ୍ଷାନୁଷ୍ଠାନର ପରୀକ୍ଷା ନିୟନ୍ତ୍ରକ ବିଶ୍ବବିଦ୍ୟାଳୟ ପାଇଁ କାର୍ଯ୍ୟ କରିବେ। ତେବେ ଉଭୟ ବିଶ୍ବବିଦ୍ୟାଳୟ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଏଫ୍ଏସ୍ ଅଫିସରଙ୍କ ନାମ ପଠାଇବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ଆବଶ୍ୟକ ଅର୍ଥ ଉଚ୍ଚଶିକ୍ଷା ବିଭାଗର ବର୍ତ୍ତମାନ ବଜେଟ୍ରୁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।