ଋଣ ପରିଶୋଧ କରି ନ ପାରି ବିକ୍ରି ହେବ ବିର୍ଲା ଟାୟାର୍ସ, କିଣିବାକୁ ଏକାଧିକ କମ୍ପାନୀ ଆଗ୍ରହୀ

ଭୁବନେଶ୍ବର : ଋଣ ପରିଶୋଧ କରି ନପାରିବାରୁ ବିକ୍ରି ହେଉଥିବା ବିର୍ଲା ଟାୟାର୍ସକୁ କିଣିବା ଲାଗି ଏକାଧିକ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ସିଏଟ୍‌, ଇଣ୍ଡିଆ ରିସର୍ଜେଣ୍ଟ୍‌ ଫଣ୍ଡ୍‌, ଜିନ୍ଦଲ ପାୱାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ଏମ୍‌ସିପିଆଇ ଭଳି ସଂସ୍ଥା ଏହାକୁ କିଣିବା ଲାଗି ବିଡ୍‌ ଦାଖଲ କରିଛନ୍ତି। କିଛି ପ୍ରାଇଭେଟ୍ ଇକ୍ବିଟି ଓ ସମ୍ପତ୍ତି ପରିଚାଳନା ସଂସ୍ଥା ମଧ୍ୟ ବିର୍ଲା ଟାୟାର୍ସକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଜିନ୍ଦଲ ପଲି ଫିଲ୍ମସ, ଫାଲ୍‌କନ୍ ମେରାଇନ୍, ହିମାଦ୍ରୀ କେମିକାଲ୍‌ସ, ୟୁନାଇଟେଡ୍‌ ବାୟୋଟେକ୍, ଓଡ଼ିଶା ମେଟାଲିକ୍ସ ଓ ଡିଡି ଷ୍ଟିଲ୍ ଆଣ୍ଡ୍‌ ପାୱାର ମଧ୍ୟ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ (ଇଓଆଇ) ଦାଖଲ କରିଛନ୍ତି। କଂପାନିଗୁଡ଼ିକ ଲାଗି ବିର୍ଲା ଟାୟାର୍ସ ଅଧିକ ଆକର୍ଷଣୀୟ ରହିବାର କାରଣ ହେଉଛି ଏହା ପାଖରେ ଥିବା ୧୮୧ ଏକର ଫ୍ରି ହୋଲ୍‌ଡ ଜମି। କେରୋସମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିର୍ଲା ଟାୟାର୍ସକୁ ପ୍ରତିଷ୍ଠା କରାଯାଇଥିଲା। ବାଲେଶ୍ବରରେ କଂପାନିର ଉତ୍ପାଦନ କାରଖାନା ରହିଛି। କିନ୍ତୁ ଦୁଇ ବର୍ଷ ହେଲାଣି କାରଖାନାରେ ଉତ୍ପାଦନ ବନ୍ଦ ରହିଛି। କାର୍‌ ଲାଗି ରାଡିଆଲ୍ ଟାୟାର ଉତ୍ପାଦନ କରିବା ନିମନ୍ତେ ବାଲେଶ୍ବର କାରଖାନା ନିକଟରେ ଆଉ ଏକ କାରଖାନା ସ୍ଥାପନ କରାଯାଉଛି। ତାହା ନିର୍ମାଣାଧୀନ ରହିଛି। ବିର୍ଲା ଟାୟାର୍ସ ଉପରେ ବିଭିନ୍ନ ବ୍ୟାଙ୍କର ୧୧୨୮ କୋଟି ଟଙ୍କା ବାକି ଅଛି। ଆକ୍ସିସ୍ ବ୍ୟାଙ୍କର ୫୫୫.୬ କୋଟି ଟଙ୍କା, ଷ୍ଟେଟ୍‌ ବ୍ୟାଙ୍କର ୧୨୦ କୋଟି ଟଙ୍କା ବାକି ଅଛି। କଂପାନି ଡିବିଏସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଓ ୟେସ୍ ବ୍ୟାଙ୍କ ଆଦିରୁ ଋଣ ନେଇଥିଲେ।

Related Articles

Back to top button