ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ : ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି କଲେ ଦାବି

କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏବେ ନେପାଳ ସରକାର ନିଜର ଦାବି ଉଠାଇଛନ୍ତି । ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ନେପାଳ ଏନଏଚଆରସି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ କହିଛି ନେପାଳ । ନେପାଳ ଏନଏଚଆରସି ଚିଠି ଲେଖି ତ୍ୱରିତ ନ୍ୟାୟ ଦେବାକୁ ଦାବି କରିଛି । ନେପାଳ କହିଛି ଯେ, ଶୀଘ୍ର ତଦନ୍ତ ସାରି ନ୍ୟାୟ ଦିଆଯାଉ । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ଚିନ୍ତାଜନକ ରହିଛି । ଯେଉଁମାନେ ନେପାଳି ଛାତ୍ର-ଛାତ୍ରୀଙ୍କ ସହ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରାଯାଉ ।

ଏହା ପୂର୍ବରୁ ନେପାଳ ଉଚ୍ଚାୟୋଗର ଅଧିକାରୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ କହିଥିଲେ ଯେ, ଅନେକ ନେପାଳୀ ଛାତ୍ର-ଛାତ୍ର କିଟ ବିଶ୍ୱ ବିଦ୍ୟାଳୟକୁ ଫେରି ଆସିଲେଣି । ଯେଉଁମାନେ ଆସି ନାହାନ୍ତି ସେମାନଙ୍କ ସହ ଯୋଗାଯୋଗ କରୁଛୁ । ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି । ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ଆସିବା ପରେ ସେହି ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।ତେବେ ଗତ ୧୯ ତାରିଖରେ ନେପାଳର ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲେ ଯେ ଭବିଷ୍ୟତରେ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ପ୍ରଦାନ ସ୍ଥଗିତ ରଖିପାରେ। ନେପାଳ ସରକାର କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଙ୍କ ଅଭିଭାବକଙ୍କୁ ଧୈର‌୍ୟ୍ୟ ବଜାୟ ରଖିବାକୁ ମଧ୍ୟ ନିବେଦନ କରିଥିଲେ । ନେପାଳର ଶିକ୍ଷା ମନ୍ତ୍ରଣାଳୟ କହିଥିଲେ ଯେ, ‘ଏହି ଘଟଣାରୁ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଏକ ସହାୟତା ଡେସ୍କ ସ୍ଥାପନ କରାଯାଇଛି।’ କିଟ୍ରେ ନେପାଳୀ ଛାତ୍ରମାନଙ୍କର ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଏକ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଆମର ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହିତ ନିରନ୍ତର କୂଟନୈତିକ ପ୍ରୟାସ କରୁଛି।

Related Articles

Back to top button