ଖୁବ୍‌ ଶୀଘ୍ର ଆସିବ ନୂଆ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଇନ

କଟକ : ଖୁବ୍‌ ଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଇନ ଆସିବ। ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭ‌ାଗର ମାର୍ଚ୍ଚ ୩ର ତଥ୍ୟ ଅନୁସାରେ ଓଡ଼ିଶା ଆପାର୍ଟମେଣ୍ଟ (ଓନର୍‌ସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ) ବିଲ୍‌, ୨୦୨୩କୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ପରେ ବିଲ୍‌କୁ ବିଧାନସଭାରେ ଆସନ୍ତା ଏପ୍ରିଲ୍‌ ୬ ସୁଦ୍ଧା ଉପସ୍ଥାପନ କରାଯିବ। ଚଳିତ ବିଧାନସଭା ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବା ଉପରେ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।

ଏଥି ସହିତ ନିୟମ ଉଲ୍ଲଂଘନ କରି ଆପର୍ଟମେଣ୍ଟ ବିକ୍ରି ରାଜିନାମା ପଞ୍ଜୀକରଣ କରାଯାଉଥିବା ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ମାର୍ଚ୍ଚ ୨୨ରେ ଇନ୍ସପେକ୍ଟର୍‌ ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍‌) ଓ ଭୁବନେଶ୍ବର ଖଣ୍ଡଗିରି ସବ୍-ରେଜିଷ୍ଟ୍ରାର୍‌ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ଆଇଜିଆର୍‌ ଓ ଖଣ୍ଡଗିରି ସବ୍-ରେଜିଷ୍ଟ୍ରାର୍‌ଙ୍କୁ ନୋଟିସ୍ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପାର୍ଟମେଣ୍ଟ ପାଇଁ ୨୦୨୨, ସେପ୍ଟେମ୍ବର୍‌ରେ ସଂଶୋଧିତ ନିୟମାବଳୀ ଅନୁସାରେ ଓରେରା ଅନୁମୋଦିତ ବିକ୍ରି ରାଜିନାମା ଅନୁସରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିୟମକୁ ପାଳନ ନ କରି ଆପାର୍ଟମେଣ୍ଟ ବିକ୍ରି ପାଇଁ ରାଜିନାମା ପଞ୍ଜୀକରଣ କରାଯାଇଛି ବୋଲି ଅଦାଲତ ଅବମାନନା ମାମଲାରେ ଦର୍ଶାଯାଇଛି।

ସେହିଭଳି ଭାବେ ରେରା ଆଇନ ଆସିବା ପରେ ଆପାର୍ଟମେଣ୍ଟ ସଂପୂର୍ଣ୍ଣ ସଂପର୍କିତ ପ୍ରମାଣପତ୍ର ଜାରି ସଂକ୍ରାନ୍ତରେ ମଧ୍ୟ ଓରେରାକୁ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ଓ ଓରେରା ତରଫରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Related Articles

Back to top button