
ନୀଳଗିରିରେ ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି
ନୀଳଗିରି: ନୀଳଗିରି ରଥଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇଉଠିଛି। ଗତ ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ରଥ ଯାତ୍ରା ବନ୍ଦ ଥିବାରୁ ଚଳିତ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ୧୭୫୦ ମସିହାରେ ଜଗନ୍ନାଥ ମନ୍ଦିର ତିଆରି କରା ଯାଇଥିଲା। ଏହି ମନ୍ଦିର ସହିତ ପୁରୀର ଜଗନ୍ନାଥ ମନ୍ଦିରର ସାମଞ୍ଜସ୍ୟ ରହିଛି। ପୁରୀ ମନ୍ଦିର ଭଳି ଏଠାରେ ମଧ୍ୟ ନୀତିକାନ୍ତିରେ ପୂଜାର୍ଚ୍ଚନା ହୁଏ ଏବଂ ୩ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ପହଣ୍ଡି ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବାପରେ ତା ପରଦିନ ରଥଟଣା ହୋଇଥାଏ। ପରେ ଆଧାରାସ୍ତାରେ ରଥ ରହିଥାଏ। ତହିଁପର ଦିନ ରଥଟଣା ଯାଇ ମାଉସୀ ମା ମନ୍ଦିରରେ ପହଞ୍ଚିଥାନ୍ତି। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ସମାଗମ ହେଉଥିବା ବେଳେ କୋଭିଡ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇନାହିଁ। ଚଳିତବର୍ଷ ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ରଥନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦୋକାନ ବଜାର, ଦୋଳି ପଡିବା ପାଇଁ ମଧ୍ୟ ପ୍ରସ୍ତୁତି ସରିଛି।
ଲକ୍ଷାଧିକ ଭକ୍ତ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ପାଇଁ ସାଧା ପୋଷାକରେ ପୋଲିସ ନିୟୋଜିତ ହେବାସହ ସିସିଟିଭି ଲଗାଯାଇଛି। ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ପାନୀୟ ଜଳ ବ୍ୟବସ୍ଥା ସହ ଚିକିତ୍ସା ସେବା କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି। ତେବେ ଶାନ୍ତିଶୃଙ୍ଖଳା ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଏହି ଐତିହାସିକ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସମସ୍ତ ନୀଳଗିରିବାସୀ ଆଶା ବାନ୍ଧିଛନ୍ତି।