ଓମଫେଡର ଶୁଦ୍ଧତା ଏବଂ ପରିମାଣରେ କୌଣସି ସାଲିସ କରାଯିବ ନାହିଁ : ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ
ଶ୍ରୀମନ୍ଦିରକୁ ଦୈନିକ ୪ ଟନ ଘିଅ ଯୋଗାଉଛି ଓମଫେଡ଼ । ଆଗକୁ ରିହାତି ଦରରେ ଯୋଗାଇବାକୁ ଯୋଜନା କରୁଛି ବିଭାଗ । ଘିଅର ଶୁଦ୍ଧତାରେ କୌଣସି ସାଲିସ କରାଯିବ ନାହିଁ । ଆଜି ଭୁବନେଶ୍ୱର ସ୍ଥିତ ସହିଦନଗରରେ ଓମଫେଡ଼ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ କିଭଳି ଓମଫେଡକୁ ଆହୁରି ସୁଦୃଢ଼ କରାଯିବା ନେଇ ସମୀକ୍ଷାରେ ଆଲୋଚନା କରାଯାଇଛି । ଓମଫେଡର ଶୁଦ୍ଧତା ଏବଂ ପରିମାଣରେ କୌଣସି ସାଲିସ କରାଯିବ ନାହିଁ । ଓମଫେଡକୁ ନବୀକରଣ କରାଯିବ ସହିତ ମାନରେ ଯେପରି କୌଣସି ତ୍ରୁଟି ନ ଆସେ ସେଥିପାଇଁ ସିସିଟିଭି ଲଗାଯିବ । ଶ୍ରୀମନ୍ଦିରରେ ୪ ଟନ ଘିଅ ଆବଶ୍ୟକତା ରହିଛି । ଓମଫେଡ଼ର ଦୈନିକ ୮ ରୁ ୧୦ ଟନ ଘିଅ ଉତ୍ପାଦନ କ୍ଷମତା ରହିଛି । ଆଗକୁ ଅନ୍ୟ ମନ୍ଦିରରେ ଆବଶ୍ୟକତା ହେଲେ ମଧ୍ୟ ଘିଅ ଯୋଗାଇବାକୁ ପ୍ରସ୍ତୁତ ଓମଫେଡ଼ । ଶ୍ରୀମନ୍ଦିରକୁ ବଜାରଠାରୁ ରିହାତି ଦରରେ ପ୍ରଦାନ କରାଯିବ । ଓମଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ରଖି ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲାଯିବ । ଖୁଵ ଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରିବ ଓମଫେଡ଼ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା । ପଞ୍ଚାୟତ ‘କ୍ଷୀର୍ ଧାରା କେନ୍ଦ୍ର’ରେ କ୍ଷୀର ଦେଲେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । ତୁରନ୍ତ ତାଙ୍କର ପ୍ରାପ୍ୟ ପାଇବେ ଚାଷୀ ।
ଲୋକଙ୍କ ଚାହିଦାକୁ ଦେଖି ଓମଫେଡ୍ ର ଟେଟ୍ରା ପ୍ୟାକ୍ କ୍ଷୀର, ପାଣି ଏବଂ ଚକଲେଟ ଆସିବ । ସେହିପରି ମେଡ଼ିକାଲ, କଲେଜ, ବ୍ଲକ ପଂଚାୟତ ଆଦି ସ୍ଥାନମାନଙ୍କରେ ଓମଫେଡ୍ ପାର୍ଲର୍ ଖୋଲାଯିବ । କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ଏବେ ୨୦ ଟି କ୍ଷୀର୍ ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲାଯାଇଥିବାବେଳେ ପର୍ଯ୍ୟାୟ କ୍ରମେ ଆହୁରି କେନ୍ଦ୍ର ଖୋଲିବ । ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା । ଆଗାମୀ ଦିନରେ ଓମଫେଡକୁ ସୃଦୁଢ଼ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ଓମଫେଡ଼ର ବକେୟା କମୁଥିବାବେଳେ ବର୍ତ୍ତମାନ ୨ କୋଟି ବକେୟା ରାଶି ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ଆଗାମୀ ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।