ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହୁଡ଼ ପଡ଼ିଥିବା କହିଛନ୍ତି ଆଇନ ମନ୍ତ୍ରୀ

ରଥରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ କାରଣ ପହୁଡ଼ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହୁଡ଼ ପଡ଼ିଥିବା କହିଛନ୍ତି ମନ୍ତ୍ରୀ । ଶରଧାବାଲି ଅଘଟଣକୁ ନେଇ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉନ୍ନୟନ କମିଶନର ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିବେ । ଆଗାମୀ ୩୦ ଦିନ ମଧ୍ୟରେ ତଦନ୍ତ ଶେଷ ହେବ । ଅବହେଳା ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଆଗକୁ କିପରି ଅଘଟଣା ନ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଶନିବାର ମଧ୍ୟ ରାତ୍ର ପ୍ରାୟ ୧୨ଟା ୧୫ ମିନିଟ୍ ସମୟରେ ରଥ ଉପରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହୁଡ଼ ପଡ଼ିଥିଲା । ଏହା ପରେ ଭୋର ୩ଟା ୪୫ ବେଳକୁ ପହୁଡ଼ ପିଠିଥିଲା । ଏହି ସମୟରେ ଲୋକମାନେ ଦର୍ଶନ କରିବା ମାଡ଼ି ଆସିବାରୁ ଦଳାଚକଟା ହୋଇଥିଲା । ଫଳରେ ତିନି ଜଣ ଶ୍ରଦ୍ଧାଳୁଙ୍କ ଅକାଳ ବିୟୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଅଠାନ୍ତର ବାଲିପାଟଣାର ପ୍ରଭାତୀ ଦାସ (୫୨), ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁ (୪୨) ଏବଂ ଭୁବନେଶ୍ୱର ନୟାପଲ୍ଲୀର ପ୍ରେମକାନ୍ତ ମହାନ୍ତି (୭୮)ଙ୍କ ମୃତ୍ୟୁ ହୋଇଛି । ଅଧିକ ସମୟ ଧରି ପହୁଡ଼ ପଡ଼ି ରହିବାରୁ ଏଭଳି ଅଘଟଣ ହୋଇଛି ବୋଲି କୁହାଯାଉଛି । ଏହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସରକାର ଜିଲ୍ଲାପାଳ ସିଦ୍ଧାର୍ଶ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ବଦଳି କରାଯାଇଥିବାବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଏ.କେ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି ।

Related Articles

Back to top button