ଭୁବନେଶ୍ବରରେ ମାସ୍କ ନପିନ୍ଧିଥିଲେ ମିଳିବନି ପେଟ୍ରୋଲ

ବିନା ମାସ୍କରେ ଭୁବନେଶ୍ବରରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକମ୍ରଣ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେବ ଦୈନିକ ସଂକମ୍ରଣ ବହୁମାତ୍ରରେ ବୃଦ୍ଧି ପାଇବା ସହ ୧ହଜାର ଅତିକ୍ରମ କରିସାରିଛି। ତେବେ ସାରା ରାଜ୍ୟରୁ ଯେତିକି ସଂକମ୍ରଣ ମାମଲା ସାମ୍ନାକୁ ଆସୁଛି ତାହାର ଅର୍ଦ୍ଧାଧିକ ମାମଲା କେବଳ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛି ବିଏମସି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା କରାଯାଇଛି । ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ଗୁଡ୍ସର ବାର୍ତ୍ତା ରଖିବେ ଦୋକାନୀ । ବିନା ମାସ୍କରେ ଦୋକାନ,ମଲ,  ଷ୍ଟୋରକୁ ପ୍ରବେଶ କରାଯିବ ନାହିଁ ବୋଲି ବିଏମସି କହିଛି। ଏଥି ସହିତ ମାସ୍କ ପିନ୍ଧିନଥିଲେ ତେଲ ନଦେବାକୁ ପେଟ୍ରୋଲ ପମ୍ପ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ରାଜଧାନୀରେ ବଢୁଥିବା ସଂକ୍ରମଣ କାରଣରୁ ଆଜି  ବିଏମ୍‌ସି ପକ୍ଷରୁ ଶନିବାର ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଲୋକ ଓ ଭୁବନେଶ୍ବରକୁ ବାହାରୁ ଆସୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସମସ୍ତ ଦୋକାନ, ସପିଙ୍ଗମଲରେ ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିନଥିଲେ ପ୍ରବେଶ ନିଷେଧ କରାଯାଇଛି। ଦୋକାନ ବାହାରେ ‘ନୋ ମାସ୍କ ନୋ ଏଣ୍ଟ୍ରି କିମ୍ବା ମାସ୍କ ନାହିଁ ତ ଜିନିଷ ନାହିଁ’ର ପୋଷ୍ଟର ମାରିବାକୁ କୁହାଯାଇଛି। ପୂର୍ବ ମାର୍ଗଦର୍ଶିକା ସହିତ ଏହି ନିୟମ ପାଳନ ହେବ। ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କୁ ପାଇଁ ଏହି ନିୟମ ବାଞ୍ଛାନିୟ। ଏଥିରେ ଖିଲାପ କଲେ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମନକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ବିଏମ୍‌ସିର ଗାଇଡଲାଇନ୍‌ ଅନୁସାରେ ପେଟ୍ରୋଲ ପମ୍ପରେ ଯେଉଁ ଗ୍ରାହକ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ପେଟ୍ରୋଲ/ଡିଜେଲ/ସିଏନ୍‌ଜି ବିକ୍ରି କରିବାକୁ ବାରଣ କରାଯାଇଛି। ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନର ମୁଖ୍ୟ ତଦାରଖ କରିବେ ଯେ ଅଫିସରେ ଥିବା ସମୟରେ ସମସ୍ତ କର୍ମଚାରୀ ମାସ୍କ ପରିଧାନ କରୁଛନ୍ତି କି ନାହିଁ। ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ସର୍ବସାଧାରଣ ସ୍ଥଳୀ ରେ ଛେପ ନପକାଇବା ଭଳି କୋଭିଡ ନିୟମର ପାଳନ କରିବେ ବୋଲି ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସର୍ବୋପରି ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି।

Related Articles

Back to top button