
ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ,ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି
ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ସୋମବାର ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ନିଶ୍ଚୟ ଦଣ୍ଡିତ ହେବେ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ରହିଛି । ଗାଁର କିଛି ପ୍ରଭାବଶାଳୀ ଲୋକ ଏ କାମ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ସଚେତନତାର ଅଭାବ ଯୋଗୁ ଏପରି ଘଟୁଛି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉକି, ରବିବାର କୋରାପୁଟ ଜିଲ୍ଲାରେ ଦୁଇ ଯୁବକ-ଯୁବତୀଙ୍କୁ ବଳଦ ଭଳି ହଳ କରାଯାଇଛି । ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ସଭ୍ୟ ଓ ଶିକ୍ଷିତ ସମାଜକୁ ସ୍ତବ୍ଧ କରିଦେଇଛି । ଗୋଟିଏ ବଂଶର ହୋଇ ପ୍ରେମ କରି ବିବାହ କରିଥିବାରୁ ଏହି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଏହି ଘଟଣା ପଛରେ ରହିଛି ଆଦିବାସୀ ପରମ୍ପରାର ରହିଛି ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।
ଘଟଣାରୁ ଜଣା ପଡିଛି ଯେ ଉଭୟ ଯୁବକ-ଯୁବତୀ ପ୍ରେମ କରୁଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନେ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଥିଲେ । ସେଠାରେ କିଛି ଦିନ ରହିଲା ପରେ ନିକଟରେ ଘରକୁ ଫେରିଥିଲେ । କିନ୍ତୁ ପରିବାର ଲୋକମାନେ ଦୁଇଜଣଙ୍କର ଭଲପାଇବାକୁ ସ୍ବୀକୃତି ଦେଇନଥିଲେ । ଗାଁ ରେ ପ୍ରବେଶ କରେଇନଥିଲେ । ତେଣୁ ଦୁଇ ଗାଁର ଭଦ୍ରଲୋକ ଓ ପରିବାରର ଲୋକଙ୍କୁ ନେଇ ବୈଠକ ବସିଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଦିବାସୀ ପ୍ରଥା ପରଂପରା ଅନୁସାରେ ଧରଣୀ ପେନୁଙ୍କୁ ତଥା ଗାଁ ଇଷ୍ଟ ଦେବୀ କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ପାପ ସୁଦ୍ଧି ପାଇଁ ହଳ-ଲଙ୍ଗଳ ମଗା ଯାଇଥିଲା । ଏହା ପରେ ଉଭୟ ପ୍ରେମିକ-ପ୍ରେମିକାଙ୍କ ବେକରେ ରଶି ଓ ହଳ-ଲଙ୍ଗଳ ଲଗାଇ ଗାଁରେ ସାତ ଇଷ୍ଟ ଦେବୀ ଆଗରେ ଦୁଇ ପ୍ରେମୀ ଯୁଗଳଙ୍କୁ ବଳଦ ହୋଇ ଘେରା ବୁଲା ଯାଇଥିଲା । ଶେଷରେ ଯୁବକ ଜଣକ ତାର ପ୍ରେମିକାକୁ ଧରି ନିଜ ଘରକୁ ଆସି ଆଶ୍ରୟ ନେଇଛନ୍ତି । ପୂର୍ବରୁ ଗତ କିଛିଦିନ ତଳେ ରାୟଗଡାରେ ବି ସମାନ ଘଟଣା ଘଟିଥିଲା । ଆଉ ନିୟମିତ ବ୍ୟବଧାନରେ ଏମିତି ଘଟିବାକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି ଆଇନମନ୍ତ୍ରୀ ।