ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କୌଣସି ଆଲୋଚନା ହୋଇ ନାହିଁ

ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ଏବେ ସେଭଳି କୌଣସି ସମ୍ଭାବନା ନାହିଁ । ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନୂଆଦିଲ୍ଲୀରୁ ଶନିବାର ଫେରିଛନ୍ତି । ମନମୋହନ ସାମଲ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା କରାଯାଇଛି । ବାକି ରହିଥିବା କାମ କିପରି ହେବ ଆଲୋଚନା ହୋଇଛି । କିନ୍ତୁ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଏବେ ସେଭଳି କୌଣସି ସମ୍ଭାବନା ନାହିଁ ଏବଂ ଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ମନମୋହନ ।

ସେହିପରି ସେ ଆହୁରି କହିଛନ୍ତି ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ । କମିଟି ଗଠନ ପରେ ନୂଆ ଭିଜନ ପ୍ରସ୍ତୁତ ହେବ । ସେହି କମିଟିରେ ପୁରୁଣା ଏବଂ ନୂଆ ସମସ୍ତେ ରହିବେ। ୨୫ ପ୍ରତିଶତ ନୂଆ ଚେହାରାଙ୍କୁ ସାମିଲ କରାଯିବ । ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି । ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ ବିଭିନ୍ନ ବିଷୟକୁ ନେଇ ହେବ ଆଲୋଚନା । ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣିବାର ବିରୋଧୀଙ୍କ ଅଧିକାର ରହିଛି । କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ ।ସେହିପରି ରାଷ୍ଟ୍ରପତିଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଦିଲ୍ଲୀରେ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତରୁ ଉନ୍ନତତ୍ତର ଚିକିତ୍ସା ପାଇଁ କଥା ହୋଇଥିବା ସେ କହିଛନ୍ତି ସେ।

Related Articles

Back to top button