ବାଣୀବିହାର କ୍ୟାମ୍ପସରେ ଅଣଛାତ୍ରମାନଙ୍କୁ ଆଉ ରହିବାକୁ ଦିଆଯିବ ନାହିଁ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର। ଅଣଛାତ୍ରମାନଙ୍କୁ କ୍ୟାମ୍ପସରେ ଆଉ ରହିବାକୁ ଦିଆଯିବ ନାହିଁ ଅନୁମତି। JNU ପ୍ରଫେସସରଙ୍କୁ ଆକ୍ରମଣ ପରେ ଏମିତି କଡା ନିଷ୍ପତି ନେଇଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ। ଆକ୍ରମଣ ଘଟଣା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବସିଥିଲା ଶୃଙ୍ଖଳା କମିଟି ବୈଠକ । ବୈଠକର ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟାୟକ୍ରମେ ବିଭିନ୍ନ ହଷ୍ଟେଲ ଉପରେ ଚଢ଼ଉ କରାଯାଇ ଅଣଛାତ୍ରଙ୍କୁ ଚିହ୍ନଟ କରାଯିବ ଆଉ ତା ପରେ ସେମାନଙ୍କୁ ବିଦା କରାଯିବ।
ଏ ନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ସେତିକି ନୁହେଁ, ବିଦା ହେବ ପରେ ହଷ୍ଟେଲ୍ ଭିତରକୁ ଅଣଛାତ୍ର ପଶିବି ପାରିବେନି । ସେମାନଙ୍କୁ ପଶିବାକୁ ଦିଆଯିବ ନାହିଁ। ସେଥିପାଇଁ ଆଗକୁ ହଷ୍ଟେଲ୍‌ଗୁଡ଼ିକରେ ପରିଚୟପତ୍ର ବାଧ୍ୟତାମୂଳକ କରାଯିବ । ପ୍ରବେଶ ପଥରୁ ଆରମ୍ଭ କରି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ହଷ୍ଟେଲଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକୁ ମରାମତି କରାଯିବ।

ତେବେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଣଛାତ୍ରଙ୍କୁ ତଡ଼ିବା ନିଷ୍ପତ୍ତି ନୂଆ ନୁହେଁ। ଆଗରୁ ଏପରି ନିଷ୍ପତ୍ତି ନିଆଯାଇଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ୨୦୧୯ରେ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବା ଲାଗି ପୁଲିସ ସହାୟତାରେ ୭ନମ୍ବର ଛାତ୍ରାବାସ ଉପରେ ଚଢ଼ଉ କରାଯାଇଥିଲା । ୬୦ଜଣ ଅଣଛାତ୍ରଙ୍କୁ କାଢ଼ାଯାଇଥିଲା। ହେଲେ ଯେଉଁମାନଙ୍କୁ ତଡ଼ା ଯାଇଥିଲା, ସେମାନେ ଏବେ ପୁଣିଥରେ ଡେରା ପକାଇଲେଣି। ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ପ୍ରାୟ ୨୦ଟି ରୁମ୍‌ରେ ଛାତ୍ରଙ୍କ ସହ ଅଣଛାତ୍ରମାନେ ରହୁଥିବା ସୂଚନା ମିଳିଛି। ସେମାନଙ୍କୁ ଚିହ୍ନଟ କରି କ୍ୟାମ୍ପସରୁ ତଡ଼ିବା ଏବେ କର୍ତ୍ତୃପକ୍ଷଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି।

ସୂଚନାଥାଉ କି, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ହଲରେ ଅର୍ଥନୀତି ବିଭାଗ ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଆକ୍ରମଣ ଘଟଣାରେ ସହିଦ ନଗର ଥାନା ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମାନସ ସାହୁ ଓ ସଞ୍ଜୟ ମଲ୍ଲିକ ।ଉଭୟେ ଗୋପବନ୍ଧୁ ଛାତ୍ରାବାସରେ ରହୁଥିଲେ  । ମାନସ ଭଦ୍ରକରୁ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢିଥିବାବେଳେ ସଞ୍ଜୟ ଏବିଭିପିର ସମର୍ଥକ ବୋଲି ଜଣା ପଡିଛି   । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button