ଅକ୍ଟୋବର ଅଧା ସରିଲାଣି କିନ୍ତୁ ଶୀତର ଦେଖା ନାହିଁ

କାର୍ତ୍ତିକମାସକୁ ଆଉ ଅଳ୍ପ ଦିନ ବାକି ରହିଲା ଅକ୍ଟୋବର ଅଧା ସରିଲାଣି କିନ୍ତୁ ଶୀତର ଦେଖା ନାହିଁ। କାଁ ଭାଁ ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି। ଓଲଟା ଦିନରେ ଟାଣ ଖରା ହେଉଛି। ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ଚାଲିଛି ତାତି । ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି, ତଥାପି ଗରମ କମୁନି । ଆର୍ଦ୍ରତା ଅଧିକ ରହୁଥିବାରୁ ଭୁବନେଶ୍ବର, କଟକ, ରାଉରକେଲା, ପୁରୀ ପରି ସହରରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଘରୁ ପଦାକୁ ବାହାରିବା କ୍ଷଣି ମାର୍ଚ୍ଚ ଓ ଏପ୍ରିଲ ମାସର ତାତି ଭଳି ଲାଗୁଛି। ଗ୍ରୀଷ୍ମ ସମୟରେ ପୁରୀର ସର୍ବୋଚ୍ଚ ତାପମାତ୍ରା ଅଧିକାଂଶ ସମୟରେ ୩୫ ଡିଗ୍ରି ରହୁଥିବା ବେଳେ ଆଜିର ଦିନରେ ସେଠାରେ ତାପମାତ୍ରା ୩୫ ଡିଗ୍ରିରେ ପହଞ୍ଚିଛି।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ଏବଂ ରାତିର ତାପମାତ୍ରା ୨୦ ଡିଗ୍ରି ରହୁଛି। କୋରାପୁଟ ଭଳି ପାହାଡ଼ିଆ ଅଞ୍ଚଳରେ ଦୁଇ ଦିନ ହେଲା ରାତିରେ ତାପମାତ୍ରା କମ୍‌ ରହୁଥିଲେ ମଧ୍ୟ ଦିନରେ ପ୍ରବଳ ତାତି ଅନୁଭୂତ ହେଉଛି। ଏହି ସମୟରେ ମାଲକାନଗିରିରେ ତାପମାତ୍ରା ୩୫ ଡିଗ୍ରିରେ ପହଞ୍ଚିବା ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆହୁରି ଆଶ୍ଚର୍ଯ୍ୟ କରିବା ଭଳି। ଆଗାମୀ ୫ ଦିନ ଯାଏ ଏଭଳି ପାଗ ଲାଗିରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିବ। ରାତିର ତାପମାତ୍ରା ମଧ୍ୟ ଅନୁରୂପ ଭାବେ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରି ଅଧିକ ରହିପାରେ। ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୪ ଡିଗ୍ରି ମଧ୍ୟରେ ରହୁଥିଲା।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ, ଗତ ୨୪ ଘଣ୍ଟା ଧରି ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଥିଲା। ମୟୂରଭଞ୍ଜ, ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ପାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୧୨ ଓ ୧୩ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ଆସନ୍ତା ୫ଦିନ ଯାଏ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ଭୁବନେଶ୍ବର ଓ କଟକ ସହରର ତାପମାତ୍ରା ଏବେ ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ ରହିଛି । ରାଜ୍ୟର ୧୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି ।

Related Articles

Back to top button