ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି
ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ ।
ପରମ୍ପରା ଅନୁଯାୟୀ, ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ଏହା ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯାଇଥାଏ । ବିଭିନ୍ନ ବାର ଅନୁସାରେ ଶ୍ରୀଜିଉମାନେ ଏହି ଘୋଡ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ।
ତେଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତ ମାନେ ବେଶ ନିଷ୍ଠା ଓ ଭକ୍ତିର ସହ ମହାପ୍ରଭୁଙ୍କ ଏହି ଘୋଡ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି । ଏଥିରେ ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ କରାଯିବ । ଏଥି ପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦରଜୀ ସେବାୟତମାନେ ଜିମା ଦେବା ପରେ ଶ୍ରୀଜିଉମାନେ ଏହି ଶୀତବସ୍ତ୍ର ପରିଧାନ କରିଥାନ୍ତି ।
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳା କ୍ରମରେ ଶ୍ରୀଜିଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ । ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ ବୋଲି ସେବାୟତ କହିଛନ୍ତି । ପରମ୍ପରା ଅନୁଯାୟୀ, ସରସ୍ବତୀ ପୂଜା ପୂର୍ବଦିନ ଯାଏଁ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ତେବେ ଓଢ଼ଣ ଷଷ୍ଠୀଠାରୁ ଶୀତର ପ୍ରକୋପ ବଢ଼ିଥାଏ ବୋଲି କୁହାଯାଏ ।
ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି ।