ପ୍ରଥମ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଭାବେ ଏସିଆନ କପରେ ମେଡାଲ ଜିତିଲେ ମନିକା ବାତ୍ରା

ନୂଆଦିଲ୍ଲୀ: ଇତିହାସ ରଚିଲେ ଭାରତୀୟ ଟେବୁଲ ଟେନିସ ଷ୍ଟାର୍ ମନିକା ବାତ୍ରା। ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସେ ITTF-ATTU ଏସିଆନ କପରେ ମେଡାଲ୍ ଜିତିଛନ୍ତି। ଆଜି ଥାଇଲାଣ୍ଡ ବେଙ୍କକ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ ତିନିଥରର ଚାମ୍ପିୟନ ଜାପାନର ହିନା ହୟାତଙ୍କୁ ୪-୨ରେ ପରାସ୍ତ କରି ବ୍ରୋଞ୍ଚ୍ ମେଡାଲ ଜିତିଛନ୍ତି ମନିକା। ଏହି ବିଜୟ ସହିତ ସେ ପ୍ରଥମ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ଭାବେ ବିଶ୍ୱର ଟପ୍ ୧୦ ଖେଳାଳି ମଧ୍ୟରୁ ଦୁଇ ଜଣଙ୍କୁ ଗୋଟିଏ ପ୍ରତିଯୋଗିତାରେ ପରାସ୍ତ କରିଛନ୍ତି।

ଶନିବାର ସକାଳେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ମ୍ୟାଚ୍ ହାରିବା ପରେ ମନିକା ବ୍ରୋଞ୍ଚ ମେଡାଲ ପାଇଁ ଖେଳିଥିଲେ। ଏଥିରେ ସେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ଥାଇଲାଣ୍ଡର ବେଙ୍କକ୍‌ରେ ଖେଳାଯାଇଥିବା ଏହି ମୁକାବିଲାରେ ମନିକା ବିଶ୍ୱର ୬ ନମ୍ବର ଓ ୩ ଥର ଏସିଆ କପ୍ ବିଜେତା ହିନା ହୟାତଙ୍କୁ ୪-୨ରେ ପରାସ୍ତ କରିଛନ୍ତି।

ତେବେ ଏହା ପୂର୍ବରୁ ମନିକା ସେମିଫାଇନାଲ ମୁକିବାଲିରେ ଚତୁର୍ଥ ସିଡ୍ ଜାପାନୀ ଖେଳାଳି ସୀମା ଇତେଙ୍କୁ ଠାରୁ ୮-୧୧, ୧୧-୭, ୭-୧୧,୬-୧୧,୧୧-୮, ୭-୧୧(୨-୪)ରେ ହାରିଯାଇଥିଲେ।

ସୂଚନା ଥାଉକି ମନିକା ଏସିଆ କପ୍‌ରେ ଲଗାତର ଭଲ ପ୍ରଦର୍ଶନ କରିଆସୁଥିଲେ। ସେ ଏହା ପୂର୍ବରୁ ଶୁକ୍ରବାର କ୍ୱାର୍ଟର ଫାଇନାଲ୍‌ରେ ଚୀନ ତାଇପେର ଚେନ ସୁ-ୟୁଙ୍କୁ ୪-୩ରେ ପରାସ୍ତ କରି ସେମିଫାଇନଲ୍‌ରେ ପହଞ୍ଚିଥିଲେ। ମନିକା ଟୁର୍ଣ୍ଣାମେଣ୍ଟରେ ଟପ-୪ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି ହୋଇପାରିଛନ୍ତି।

Related Articles

Back to top button