ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ସଦସ୍ୟ ସାମିଲ ହେବା ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି । ଏହା ସହ ବୈଠକ ତ୍ୟାଗ କରିଛି ଦଳ। ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିବା ସହ ଜନସାଧାରଣଙ୍କ ସମସ୍ୟା କିଭଳି ବିସ୍ତୃତ ଭାବେ ଉପସ୍ଥାପିତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଗୋଟିଏ ପଟେ ମୁଖ୍ୟ ବିରୋଧୀ ବିଜେପି ଭିସି ବ୍ୟବସ୍ଥାକୁ ବିରୋଧ କରିଥିବା ବେଳେ କଂଗ୍ରେସ କିନ୍ତୁ ଏହାକୁ ସମର୍ଥନ କରିଛି।

ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ଉଚିତ। କିନ୍ତୁ ଅସୁସ୍ଥତା କାରଣରୁ କୌଣସି ସଦସ୍ୟ ଭିସିରେ ସାମିଲ ହେବାକୁ ଚାହିଁବେ ସେଥିରେ ଅସୁବିଧା ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେପଟେ ବଜେଟ ଅଧିବେଶନ ବେଶ ସରଗରମ ରହିବ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟ ବିରୋଧି ଦଳ ବିଜେପି ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସରକାରୀ ଦଳକୁ କାଠଗଡ଼ାରେ ଆଣିବାକୁ ଯୋଜନା କରିଛି।

ନବ ଦାସ ହତ୍ୟାକାଣ୍ଡ ସମେତ ରାଜ୍ୟରେ ବିଗିଡି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିବାକୁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିରୋଧି କଂଗ୍ରେସ ଚାଷୀ, ବେକାରୀ ସମସ୍ୟା ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛି। ସେହିପରି ସରକାରୀ ଦଳ କେନ୍ଦ୍ରର ଚାଉଳକାଟ ପ୍ରସଙ୍ଗ ସହ ଅନ୍ୟାନ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ବିରୋଧି ବିଜେପିକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଉଛି ।

Related Articles

Back to top button