
ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରୁ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାନଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି।
ଗୋଏଲଙ୍କୁ ଲେଖିଥିବା ଚିଠିରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ପାଇଁ କେଏମଏସ ୨୦୨୨-୨୩ ପାଇଁ ଅତିରିକ୍ତ ୨୦ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ (୧୭ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଏବଂ ୩ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ) ଉଠିଇବା ଆବଶ୍ୟକ। ଏହି ବଳକା ଚାଉଳ ନଉଠିଲେ ଆଗାମୀ ଋତୁରେ ରାଜ୍ୟର ଧାନ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହେବା ସହିତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ଯେଉଁମାନଙ୍କର ମୁଖ୍ୟ ଆୟ ଧାନ ସଂଗ୍ରହର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ପରିଚାଳନା ମାଧ୍ୟମରେ ହୋଇଥାଏ।
୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବନ୍ଦ ହେବାକୁ ଯାଉଛି ଏବଂ ୨୦୨୩ ମାର୍ଚ୍ଚ ୨୨ ସୁଦ୍ଧା ୪୪.୨୩ ଲକ୍ଷ ମେଟ୍ରିକ ଟନ୍ ଖରିଫ ଚାଉଳ ସହ ପ୍ରାୟ ୬୫.୨୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ଧାନ କିଣିବା ପରେ ୪୨ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରାୟ ୧୩ ହଜାର ୮୧ କୋଟି ଟଙ୍କାର ଏମ୍ଏସପି ବକେୟା ରାଶି ପଠାଇଛି ବୋଲି ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି।
ଚାଷୀଙ୍କଠାରୁ ସଂଗୃହୀତ ମୋଟ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଜରିଆରେ ୨୪ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରେ ବଳକା ରହିବ ।
ଆଗାମୀ ରବି ଋତୁରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବାକୁ କେନ୍ଦ୍ର ଟାର୍ଗେଟ ଦେଇଥିବାରୁ ଏହା ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେଣୁ ବଳକା ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇରୁ ନଉଠାଇଲେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ନବନୀ ଚିଠିରେ ଉଲ୍ଲେଖ କରିଛନ୍ତି।