ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳ

ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ଏବଂ ପୋଡାଜଳା ମଧ୍ୟ ଜାରି ରହିଛି । ସେଠାରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ସହ ମନ୍ଦିରକୁ ମଧ୍ୟ ଟାର୍ଗେଟ କରାଯାଉଛି । ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ – ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି । ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ପରାମର୍ଶ ଦେଇଛନ୍ତି।

ବାଂଲାଦେଶ ରେ ସାଂପ୍ରତିକ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଜଳପଥ ଉପରେ କୋଷ୍ଟ ଗାର୍ଡ ଏବଂ ଭାରତୀୟ ନୌସେନା ତୀକ୍ଷ୍ମ ନଜର ରଖିଛି। ତେବେ ଜଳ ପଥରେ ବାଂଲାଦେଶ ପଟୁ ଅନୁପ୍ରବେଶ ନେଇ ପୁରୀ ପୋଲିସ ସମ୍ପୂର୍ଣ୍ଣ ସତର୍କ ରହିଥିବା ଏସପି ପିନାକ ମିଶ୍ର କହିଛନ୍ତି । ପୁରୀ ସମୁଦ୍ର ତଟରେ ଅବସ୍ଥିତ କୌଣସି ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନିୟମିତ ପାଟ୍ରୋଲିଂ କରିବା ସହ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସପି କହିଛନ୍ତି। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଜଳପଥ ଉପରେ କଡ଼ା ନଜର ରଖିବା ପୁରୀ ମେରାଇନ୍ ଥାନାର ଦୈନନ୍ଦିନ କାର୍ଯ୍ୟ। ମେରାଇନ୍ ଥାନା ପୋଲିସ ଏବଂ କୋଷ୍ଟ ଗାର୍ଡ ନିୟମିତ ଭାବେ ଜଳପଥରେ ପାଟ୍ରୋଲିଂ କରୁଛି ।‌  ସେହିପରି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଛନ୍ତି । ସମୁଦ୍ର ପଥରେ ବୋଟ୍‌ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି ଏବଂ ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ ଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି ।

Related Articles

Back to top button